ଯୋଗ୍ୟ ଭୋଟରଙ୍କୁ ତାଲିକା ଭୂକ୍ତ କରାଯିବାକୁ ଜିଲାପାଳଙ୍କୁ ବିଜେଡିର ଦାବି
କେନ୍ଦ୍ରାପଡ଼ା,୨୫/୦୮/୨୦୨୬ (ଓଡ଼ିଶା ସମାଚାର)- ଓଡିଶାରେ ଏସଆଇଆର ତାଲିକା ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ମହାକାଳପଡା ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟ ସଠିକ ଭାବରେ କରାଯାଉନାହିଁ । ଯୋଗ୍ୟ ଭୋଟର ଜିବୀତ ଥିଲେ ମଧ୍ୟ ସେମାନଙ୍କୁ ମୃତ ଦର୍ଶାଇ ଭୋଟର ତାଲିକାରୁ ବାଦ ଦିଆଯାଉଥିବା କେନ୍ଦ୍ରାପଡା ଜିଲା ବିଜେଡି ପକ୍ଷରୁ ଗରାପୁରସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ରାଜନୈତିକ ଅଭିସନ୍ଧି ରଖି ମନମୁଖି ଭାବେ ଏଭଳି ତାଲିକା ପ୍ରସ୍ତୁତ କରାଯାଉଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ଏହି ନିର୍ବାଚନ ମଣ୍ଡଳୀର ମହାକାଳପଡା ଓ ମାର୍ଶାଘାଇ ବ୍ଲକର ଏଏସଡିଡି ପ୍ରକାଶିତ ତାଲିକାରୁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ଦିଆଯିବାର ଯୋଜନା ଚାଲିଛି । ବର୍ଷ ବର୍ଷ ଧରି ସ୍ଥାୟୀ ଭାବେ ବସବାସ କରି ଆସୁଥିବା ବ୍ୟକ୍ତି ବା ଭୋଟରମାନଙ୍କୁ ଅନ୍ୟତ୍ର ଥିବା କିମ୍ବା ମୃତ ଦର୍ଶାଯାଇ ତାଲିକାରୁ ବାଦ ଦିଆଯାଉଥିବା ମନ୍ତ୍ରୀ ଶ୍ରୀ ନାୟକ ଅଭିଯୋଗ କରିଛନ୍ତିି । କେନ୍ଦ୍ରାପଡା ଜିଲାରେ ମୋଟ ୬୦ହଜାର ଭୋଟରଙ୍କ ନାମ ବାଦ ପଡିଥିବା ବେଳେ ମହାକାଳପଡା ନିର୍ବାଚନ ମଣ୍ଡଳୀରେ କେବଳ ୩୦ହଜାର ୨୮୫ଜଣଙ୍କ ନାମ କଟିଛି । ସେହିଭଳି ସାରା ଜିଲାରେ ଅନୁପସ୍ଥିତ ବା ସ୍ଥାନାନ୍ତର କାରଣରୁ ୨୭ହଜାର ଲୋକଙ୍କ ନାମ ବାଦ ଦିଆଯାଇଥିବା ବେଳେ ମହାକାଳପଡା ନିର୍ବାଚନ ମଣ୍ଡଳୀରେ ୯ହଜାର ୯୩୧ଜଣଙ୍କ ନାମ ବାଦ ପଡିଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।
ବିଜେପି ଦଳର ନେତା ଓ କର୍ମୀମାନେ ବିଏଲଓଙ୍କ ଉପରେ ଚାପ ପ୍ରୟୋଗ କରି ଯୋଗ୍ୟ ଭୋଟରମାନଙ୍କ ନାମ ବାଦ ଦେବାପାଇଁ ଫର୍ମ-୭ ଜରିଆରେ ଆବେଦନ ଦାଖଲ କରୁଥିବା ଅଭିଯୋଗ ହୋଇଛି । ମହାକାଳପଡା ବ୍ଲକର ବଡଦାଣ୍ଡୁଆ ପଂଚାୟତର ବଗଗହନ ଓ ରାଜଗଡ ପଂଚାୟତ ଏବଂ ମାର୍ଶାଘାଇ ବ୍ଲକର ହିନ୍ଦୁଳିଆ ପଂଚାୟତରେ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି । ଏହାର ତଥ୍ୟ ଓ ପ୍ରମାଣ ରହିଥିବା ମନ୍ତ୍ରୀ ଶ୍ରୀ ନାୟକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି । ଜଣେ ଜଣେ ଲୋକ ୪୬ଜଣଙ୍କ ନାମ ଭୋଟର ତାଲିକାରୁ କାଟିବା ପାଇଁ ଫର୍ମ ନଂ- ୭ରେ ବିଏଲଓଙ୍କ ପାଖରେ ଆବେଦନ କରୁଥିବା ଅଭିଯୋଗ ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେଡି ସଭାପତି ଶିବପ୍ରସାଦ ଭଳ, ବରିଷ୍ଟ ବିଜେଡି ନେତା ବିଜୟ କୁମାର ଜେନା, ଜିଲା ପରିଷଦ ସଭ୍ୟ ଅନିରୁଦ୍ଧ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ପ୍ରତାପ ମଲ୍ଲ, ଜିଲା ପରିଷଦ ସଭ୍ୟା ଦୁର୍ଗାବତୀ ପ୍ରଧାନ, ସରପଂଚ ମମତା ସାମଲ, ସରପଂଚ ଅରବିନ୍ଦ ଜେନା, ଜିଲାପରିଷଦ ସଭ୍ୟ ପ୍ରମୋଦ ରଥ, ପୂର୍ବତନ ଜିଲାପରିଷଦ ସଭ୍ୟ ନଳିନୀ ପ୍ରଭା ଚୌଧୁରୀ, ପୂର୍ବତନ ଜିଲାପରିଷଦ ସଭ୍ୟ କବିତା ମଲ୍ଲିକ, ସୁରଭି ଜେନା, କୈଳାସ ରାଉତ, ମନୋଜ ପାତ୍ର, ରବିନ୍ଦ୍ର ପାଲ, ସୁରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲାପାଳଙ୍କୁ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ ସହିତ ଦାବିପତ୍ର ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ପ୍ରଦାନ କରିବା ସହିତ ଅଭିଯୋଗର ନିରପେକ୍ଷ ଓ ନିଷ୍ପକ୍ଷ ତଦନ୍ତ ପୂର୍ବକ ବିଏଲଓମାନଙ୍କୁ ଚାପମୁକ୍ତ କରାଯାଇ ପ୍ରକୃତ ଯୋଗ୍ୟ ଭୋଟରମାନଙ୍କ ନାମ ଯାଂଚ କରି ସଠିକ ଭାବେ ତାଲିକା ଭୁକ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟାୟ ଭାବେ ଯୋଗ୍ୟ ନାଗରିକଙ୍କ ନାମ ବାଦ ଦିଆନଯାଇ ସଠିକ ଭୋଟର ତାଲିକା ପ୍ରକାଶ କରାଯିବାକୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି ।
