ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

କେନ୍ଦ୍ରାପଡ଼ା,୧୭/୧୧/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଦୁଇ ଦିନ ଧରି ଚାଲିଥିବା ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଆଜି ଉଦ୍ୟାପିତ ହୋଇଯାଇଛି । ଜିଲା ପ୍ରଶାସନ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବର ଉଦ୍ୟାପନୀ ଦିବସରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଜିଲା ମତ୍ସ୍ୟ ବିଭାଗ ଅଧିକାରୀ ଶଶାଙ୍କ ଶେଖର ସାହୁ କାର୍ଯ୍ୟକ୍ରମର ସହ ଆବାହକଭାବେ ମଂଚାସୀନ ଥିଲେ । କୃଷି ଓ କୃଷକର ଉନ୍ନତି କରିବା ସହ କୃଷକର ଆୟକୁ ବହୁଗୁଣିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ପ୍ରାଣିସମ୍ପଦର ଅଭିବୃଦ୍ଧି ହେଲେ ଓଡ଼ିଶାର ସମୃଦ୍ଧି ହେବା ସହ କୃଷକର ଆର୍ଥିକ ମାନଦଣ୍ଡ ସମୃଦ୍ଧ ହେବ ବୋଲି ଅତିଥିମାନେ କହିଥିଲେ । ଏହି ଉପଲକ୍ଷେ ପୂର୍ବାହ୍ନରେ ଚାଷୀ ଓ ବୈଜ୍ଞାନିକମାନଙ୍କ ସହ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନରସ୍ତର ଦେଇ ବୈଜ୍ଞାନିକମାନେ ସେମାନଙ୍କର ସମସ୍ୟା ସମାଧାନର ପନ୍ଥା ବତାଇଥିଲେ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ପକ୍ଷରୁ ମୋଟ୍ ୩୦ଟି ଷ୍ଟଲ୍ ଖୋଲାଯାଇଥିଲା । ଉଦ୍ୟାପନୀ ଉତ୍ସବରେ ବିଭିନ୍ନ ବ୍ଲକ୍ ରୁ ଆସିଥିବା କୃଷକ, ମହିଳା କୃଷି ଉଦ୍ୟୋଗୀ, ପଶୁପାଳକ, ଜନସାଧାରଣ, ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଏସଡିଭିଓ ଡା ମନୋଜ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତାର ବାର୍ତା ପରିବେଷଣ କରାଯାଇଥିଲା । ମଧ୍ୟାହ୍ନରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଚାଷୀମାନଙ୍କ ପାଇଁ ଉଦ୍ଧିଷ୍ଟ ଖାଦ୍ୟ ଷ୍ଟଲରେ ନିୟୋଜିତ ଜନୈକ ବ୍ୟକ୍ତିଙ୍କ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ଘଟଣା ଯୋଗୁଁ କିଛି ସମୟ ପାଇଁ ସେଠାରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ଉଦଘାଟନୀ ଦିବସରେ ଆବଶ୍ୟକ ସଂଖ୍ୟକ ଚାଷୀ ନଥିବାରୁ ଚେୟାର ସବୁ ଖାଲି ପଡିଥିବାର ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *