Latest Odisha News : ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୦୧/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ଅନୁଷ୍ଠିତ ହେବାକୁ ଯାଉଛି।ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟଠାରେ ଭିଡିଓ କନଫରେନସିଂ ଜରିଆରେ ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ (ଗୁଇନ୍ଦା) ନିର୍ଦ୍ଦେଶକ, ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା),  ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ), ଏସ. ଦେବଦତ୍ତ ସିଂ,ଆଇ.ଜି.ପି (ଗୁଇନ୍ଦା), ଶ୍ରୀ ଅନୁପ ସାହୁ, ଡି.ଆଇ.ଜି.ପି (ଏସଆଇଡବ୍ଲୁ), ଡ଼ଃ ଉମାଶଙ୍କର ଦାଶଙ୍କ ସମେତ ବିଭିନ୍ନ ରେଞ୍ଜର ଆଇ.ଜି, ଡି.ଆଇ.ଜି ଏବଂ ସୀମାବର୍ତ୍ତି ଜିଲ୍ଲା ଗୁଡିକର ଏସ.ପି ମାନେ ବୈଠକରେ ଉପସ୍ଥିତ ଥିଲେ। ସେହିପରି ଆନ୍ଧ୍ରପ୍ରଦେଶର ଡିଜିପି ଶ୍ରୀକେ. ଭି ରାଜେନ୍ଦ୍ରନାଥ ରେଡ୍ଡୀ, ଏଡିଜି (ମୁଖ୍ୟାଳୟ) ଏସ. ବାଗଚୀ, ଏଡିଜିପି( ଗ୍ରେହାଉଣ୍ଡ)ଙ୍କ ସମେତ ସୀମାନ୍ତ ଜିଲ୍ଲା ଗୁଡିକର ଏସ.ପିମାନେ ବୈଠକରେ ଉପସ୍ଥିତ ଥିଲେ।

       ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରିହୋଇଥିବା ସମସ୍ତ ନିୟମାବଳୀକୁ ସଠିକ ଭାବେ ପାଳନ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଉଭୟ ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡିକରେ ଶାନ୍ତିପୂର୍ଣ୍ଣ , ଅବାଧ, ଅପରାଧ ମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ। ବିଶେଷକରି ଓଡିଶା ର ବ୍ରହ୍ମପୁର,ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲା ର ସୀମା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସହିତ ଲାଗିରହିଛି।ଉପରୋକ୍ତ ସୀମାନ୍ତ ଜିଲ୍ଲା ଗୁଡିକରେ ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ, ସଂବେଦନ ଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକଲଗାଯିବା ଉପରେ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା।ଏହା ବ୍ୟତୀତ ଉଭୟ ରାଜ୍ୟର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବାପାଇଁ ବୈଠକରେ ଆଲୋଚନା ହୋଇଥିଲା।ଏହା ସହ ଉଭୟ ରାଜ୍ୟର ଚେକ ପୋଷ୍ଟ ଗୁଡିକରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ ହୋଇଥିଲା।ମାଦକ ଦ୍ରବ୍ୟ ଚୋରା ଚାଲାଣର ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ କରାଯାଇ ଚଢଉ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

        ଧାର୍ଯ୍ୟ ହୋଇଥିବା ନିର୍ବାଚନ ତାରିଖର ୪୮ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟର ସୀମାକୁ ସମ୍ପୂର୍ଣଭାବେ ବନ୍ଦକରାଯାଇ କଡାକଡି ଯାଞ୍ଚ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଏହାସହ ଉଭୟ ରାଜ୍ୟର ମାଓ ପ୍ରବଣ ଜିଲ୍ଲା ଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମାପ୍ତ କରାଯିବ । ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହା  ବ୍ୟତୀତ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ, ୟୁପିଆଇ ଆଇଡି ମାଧ୍ୟମରେ ଟଙ୍କା ଦେଣନେଣ, ଟ୍ରେନରେ ଗଂଜେଇ ଚୋରାଚାଲାଣ, ସାପ୍ତାହିକ ବୈଠକ, ସାଇବର ଅପରାଧ ରୋକିବାକୁ ସ୍ଵତନ୍ତ୍ର ଯୋଜନା, ସଂବେଦନ ଶୀଳ ସ୍ଥାନ ଓ ପୋଲିଂବୁଥ ଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *