ବରଗଡ,୧୦/୦୬/୨୦୨୫(ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଗାଇସିଲଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ବାସଭବନ ସମେତ କାର୍ୟ୍ୟାଳୟରେ ଚଢାଉ ଜାରି ରହିଛି।
ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ୍ ଗତ ଏକ ବର୍ଷ ହେବ ଚାକିରିରେ ଯୋଗ ଦେଇଥିଲେ। ମନରେଗା ଅଧୀନରେ ରାସ୍ତା ଉନ୍ନତିକରଣ କାର୍ୟ୍ୟ ପାଇଁ ମାପ ଏବଂ ବକେୟା ବିଲ୍ କରିବା ପାଇଁ ତାଙ୍କର ୩୨,୦୦୦ ଟଙ୍କା ମୋଟ ଦାବି ଥିଲା।
କିଛି ଦିନ ପୂର୍ବରୁ ୨୪,୦୦୦ ଟଙ୍କା ନେଇଥିଲେ ଏବଂ ବାକି ୮,୦୦୦ ଟଙ୍କା ଦାବି କରୁଥିଲେ। ଅନ୍ୟ କୌଣସି ଉପାୟ ନପାଇ ଜେଇ ହଇରାଣ କରୁଥିବା ସମ୍ପୃକ୍ତ ଠିକାଦାର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କ ଠାରୁ ବାକି ୮ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।