ରାଜଭବନରେ ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ

ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସମର୍ପଣ ସହିତ କାର୍ଯ୍ୟ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର,୦୬/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମବାୟ ସଂସ୍ଥାଗୁଡ଼ିକ ରାଜ୍ୟ ତଥା ଦେଶର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ ଭାବେ ଉଭା ହୋଇଛନ୍ତି । ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜୀବିକା ସୃଷ୍ଟି ଏବଂ ଗୋଷ୍ଠୀ ସଶକ୍ତିକରଣ କ୍ଷେତ୍ରରେ ସମବାୟ ସଂସ୍ଥା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିବା ସହିତ ସମବାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସମର୍ପଣର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି ।


ଚଳିତ ମଇ ୬ ତାରିଖ ଦିନ ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫କୁ ଉଦଘାଟନ କରି ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ବ୍ଲି ସାଧାରଣ ସଭା ୨୦୨୫ ବର୍ଷକୁ “ସମବାୟ ଏକ ଉନ୍ନତ ବିଶ୍ୱ ନିର୍ମାଣ କରେ” ଶୀର୍ଷକ ସହିତ ଆନ୍ତର୍ଜାତୀୟ ସମବାୟ ବର୍ଷ ଭାବେ ଘୋଷଣା କରିଛି । ଏହା ସମବାୟର ସ୍ଥାୟୀ ବିଶ୍ୱ ପ୍ରଭାବ ଉପରେ ଗୁରୁତ୍ୱ ଆରୋପ କରେ ଏବଂ ଆଜିର ବିଶ୍ୱ ଚ୍ୟାଲେଞ୍ଜର ସମାଧାନ ଭାବରେ ସମବାୟ ଉଭା ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି । ଏହି ଅବସରରେ ସମବାୟକୁ କେନ୍ଦ୍ର ସରକାରଙ୍କ ଏକ ସ୍ୱତନ୍ତ୍ର ମନ୍ତ୍ରାଣାଳୟ ଭାବେ ପ୍ରତିଷ୍ଠା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।


ପୁଣି ରାଜ୍ୟପାଳ କହିଥିଲେ ଯେ ଏହି ପଦକ୍ଷେପ ପୃଥକ ପ୍ରଶାସନିକ, ଆଇନଗତ ଏବଂ ନୀତିଗତ ଢାଂଚାକୁ ତୃଣମୂଳସ୍ତରରେ ସମବାୟକୁ ସୁଦୃଢ କରିବା, ବ୍ୟବସାୟ କରିବାର ସହଜତା ପାଇଁ ପ୍ରକି୍ରୟାକୁ ସୁଗମ କରିବା ଏବଂ ବହୁ ରାଜ୍ୟ ସମବାୟ ସମିତି ବିକାଶ ପାଇଁ ସକ୍ଷମ କରିବାରେ ସହାୟକ ହେବ । ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନ ଏକ ଉତ୍ସବ ପାଳନ ନୁହେଁ ବରଂ ସାମୁହିକ ଶକ୍ତି, ଗଣତାନ୍ତ୍ରିକ ଧାରା, ପାରସ୍ପରିକ ସହଯୋଗ ଏବଂ ସହଭାଗୀ ସମୃଦ୍ଧିର ଦୃଷ୍ଟିକୋଣର ପାଳନ ଯାହା ସମବାୟ ମଡେଲକୁ ପରିଭାଷିତ କରେ ।

ଏହି ସମାରୋହରେ ଓଡିଶା ଷ୍ଟେଟ୍ ମାର୍କେଟିଂ ଫେଡେରେସନ ଏବଂ ତିନୋଟି ନୂତନ ଭାବେ ପ୍ରତିଷ୍ଠିତ ଜାତୀୟ ସମବାୟ ସଂସ୍ଥା ଯଥା ନେସନାଲ କୋଅପରେଟିଭ୍ ଅର୍ଗାନିକ୍ସ ଲିଃ, ନେସେନାଲ କୋଅପରେଟିଭ ଏକ୍ସପୋର୍ଟସ୍ ଲିଃ ଏବଂ ଭାରତୀୟ ବୀଜ ସହକାରୀ ସମିତି ଲିଃ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ର କେବଳ ଆନୁଷ୍ଠାନିକ ଚୁକ୍ତିନାମା ନୁହେଁ ବରଂ ଏହା ତୃଣମୂଳ ଏବଂ ଜାତୀୟସ୍ତରୀୟ ପ୍ରତିଷ୍ଠାନ ମଧ୍ୟରେ ଦୃଢ଼ ସଂପର୍କ ସ୍ଥାପନ କରିବ । ଏହା ଆମର ଚାଷୀ, ଉତ୍ପାଦକ ଏବଂ ସମବାୟ ସଦସ୍ୟଙ୍କ ପାଇଁ ଉତ୍ତମ ବିପଣନ, ଉନ୍ନତ ଇନପୁଟ୍ ଏବଂ ଉନ୍ନତ ଆୟ ମାଧ୍ୟମରେ ଲାଭ ପହଂଚାଇବ ବୋଲି ରାଜ୍ୟପାଳ କହିଥିଲେ ।

ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନ ଅବସରରେ ଜାତୀୟସ୍ତରୀୟ ସଂସ୍ଥାଗୁଡ଼ିକରେ ଆନୁଷ୍ଠାନିକ ଭାବେ ନୂତନ ସଦସ୍ୟ ଭାବେ ଯୋଗଦେଇଥିବା ପାକ୍ସ ଏବଂ ଲାମ୍ପସ୍ ମାନଙ୍କୁ ରାଜ୍ୟପାଳ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଥିଲେ । ଏତଦ୍ବ୍ୟତୀତ ଓଡିଶାର ଅନେକ ଅଗ୍ରଣୀ ସମବାୟ ବ୍ରାଣ୍ଡ୍ ଏବଂ ଅନୁଷ୍ଠାନ ଯଥା – ବୟନିକା, ଉତ୍କଳିକା, ଟିଡିସିସି, ଅମ୍ଲାନ ଏବଂ ଓମଫେଡ୍ ସେମାନଙ୍କର ଉତ୍ପାଦ ଏବଂ ଅବଦାନ ପ୍ରଦର୍ଶନ ପାଇଁ ପ୍ରଦର୍ଶନୀ ଷ୍ଟଲ ସ୍ଥାପନ କରିଥିବାରୁ ରାଜ୍ୟପାଳ ଖୁସି ପ୍ରକଟ କରିଥିଲେ ଏବଂ ଏହି ସଂସ୍ଥା ଗୁଡ଼ିକ ସାଂସ୍କୃତିକ ରାଷ୍ଟ୍ରଦୂତ, ଅର୍ଥନୈତିକ ଇଞ୍ଜିନ ଏବଂ ବୁଣାକାର, ଜନଜାତି ଗୋଷ୍ଠୀ, ଦୁଗ୍ଧ ଚାଷୀ ଏବଂ କାରିଗରଙ୍କ ପାଇଁ ଆତ୍ମ ନିର୍ଭରଶୀଳତାର ଉତପ୍ରେରକ ବୋଲି ରାଜ୍ୟପାଳ କହିଥିଲେ ।


ଏହି ସମାରୋହରେ ଓଡିଶାର ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ବକ୍ତବ୍ୟ ପ୍ରଦାନ କରି ସମବାୟ ମାଧ୍ୟମରେ ଗ୍ରାମ୍ୟ ଅର୍ଥନୀତିର ଅଭିବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏବଂ ବିଭିନ୍ନ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଏବଂ ପାକସ୍ ଓ ଲାମ୍ପସ୍ ର ପରିଚାଳନା, ସ୍ୱଚ୍ଛତା ରକ୍ଷା ଏବଂ ଉତ୍ତରଦାୟିତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ନିର୍ଦ୍ଧେଶକ ମୁକେଶ କୁମାର ଆନ୍ତର୍ଜାତୀୟ ସମବାୟ ବର୍ଷ ପାଳନର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାରଙ୍କ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସମାରୋହରେ ଉତ୍କର୍ଷତା ହାସଲ କରିଥିବା ପାକ୍ସ, ଲାମ୍ପସ୍, କୋଅପରେଟିଭିସ୍ ଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ୍ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ସମବାୟ ସଂସ୍ଥାର କର୍ମକର୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *