ଗରଦପୁର ବ୍ଲକରେ ରାଜ୍ୟ ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଯୋଜନା 

                     କୃଷି ବୈଜ୍ଞାନିକ ଓ କୃଷି ଅଧିକାରୀଙ୍କ ସହିତ କୃଷକମାନଙ୍କୁ ଯୋଡିବାର ପ୍ରୟାସ 

ପାଟକୁରା,୦୬/୦୬/୨୦୨୫ (ଓଡିଶା ସମାଚାର)- ଆଜି ଶୁକ୍ରବାର ଅପରାହ୍ନ ରେ ଗରଦପୁର ବ୍ଳକ ବେଡାରୀ ଗ୍ରାମପଞ୍ଚାୟତ ର ବେଡାରୀ ବାତ୍ୟା ଆଶ୍ରୟ ସ୍ଥଳୀ ରେ ଗରଦପୁର ବ୍ଳକ କୃଷି ବିଭାଗ ତରଫରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ କୃଷି ଗବେଷଣା କେନ୍ଦ୍ରର କୃଷି ବୈଜ୍ଞାନିକଙ୍କ ସମେତ ସରକାରୀ କୃଷିଅଧିକାରୀ ମାନେ ଉପସ୍ଥିତ ଥିଲେ । ବେଡାରୀ ଗ୍ରାମପଞ୍ଚାୟତ ଅଂଚଳରୁ ପ୍ରାୟ ଦୁଇଶହ ଅଗ୍ରଣୀ କୃଷକ ସେଠାରେ ଉପସ୍ଥିତ ରହି ପ୍ରଶିକ୍ଷଣରେ ଭାଗ ନେଇଥିଲେ  । କୃଷିରେ ନୂତନ ପ୍ରଯୁକ୍ତି  ବିଦ୍ୟା ପ୍ରୟୋଗ କରି ଅଧିକ ଫସଲ ଅମଳ କରିବାକୁ କୃଷି ବୈଜ୍ଞାନିକ ମାନେ କୃଷକ ମାନଙ୍କୁ ବୁଝାଇଥିଲେ  ।

ଏହି ଯୋଜନା ମାଧ୍ୟମରେ କୃଷକ ମାନଙ୍କୁ ଅଭିଜ୍ଞ କୃଷି ବୈଜ୍ଞାନିକ ଓ ସରକାରୀ କୃଷି ଅଧିକାରୀ ମାନଙ୍କ ସହିତ ମିଶାଇ ଦିଆଯିବାକୁ ରାଜ୍ୟ ସରକାରଙ୍କ ଏହା ଏକ ଅଭିନଵ ପ୍ରୟାସ ବୋଲି ଜଣାଯାଇଛି  ।  ଫଳରେ କୃଷକ ମାନେ ସେମାନଙ୍କ ଚାଷ ସମ୍ପର୍କିତ ଯେକୌଣସି କୃଷି ସମସ୍ୟା ଉପରେ ପ୍ରଶ୍ନ ପଚାରି ତାର ସମାଧାନ କରିପାରିବେ ।  ରାଜ୍ୟରେ ପ୍ରାୟ ୬୦ ଭାଗ ଲୋକ କୃଷି ଉପରେ ନିର୍ଭର କରୁଥିବାରୁଏହି ଯୋଜନା ରାଜ୍ୟ ସରକାରଙ୍କ ବିକଶିତ ଓଡିଶା କାର୍ଯ୍ୟକ୍ରମର ଏକ ଅଂଶବିଶେଷ ବୋଲି କୃଷି ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ ।  ରାଜ୍ୟ ସରକାର କୃଷକମାନଙ୍କ ବିକାଶ ପାଇଁ ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ କୃଷି ଅଧିକାରୀ ମାନେ କୃଷକମାନଙ୍କୁ ଅବଗତ କରାଇଥିଲେ  ।

ଚାଷ ଜମିର ମୃତିକା ପରୀକ୍ଷା କରି କୃଷି ଅଧିକାରୀଙ୍କ ପରାମର୍ଶ ରେ ସଠିକ ରାସାୟନିକ ସାର ପ୍ରୟୋଗ କରିବା ପାଇଁ କୃଷି ଅଧିକାରୀ ମାନେ ପରାମର୍ଶ ଦେଇଥିଲେ । ଏପରି କଲେ ଅଧିକ ଫସଲ ଅମଳ ହୋଇପାରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ  । ଧାନ ଚାଷରେ ଫଲ୍ଗୁନୀ କିସମ ଧାନ ବିହନ ବ୍ୟବହାର କରିବାକୁ ଆଇସିଏଆର ର କୃଷି ବୈଜ୍ଞାନିକ ଡ଼ ଦେବେନ୍ଦ୍ର ନାଥ ଷଢଙ୍ଗୀ ପରାମର୍ଶଦେଇଥିଲେ  ।  ଏହି କିଶମ ଧାନ କମ ବର୍ଷା ଓ ଅଧିକ ବର୍ଷା ରେ ହୋଇପାରୁଥିବାରୁ ଏହାକୁ କ୍ଲାଇମେଟ ସ୍ମାର୍ଟ ଧାନ କୁହାଯାଉଛି ବୋଲି ଡ଼:ଷଢଙ୍ଗୀ କହିଥିଲେ  । ଶହେ ପଚିଶ ଦିନିଆ ସିଆର ୩୧୧ମୁକୁଳ ଧାନ ଚାଷ ପାଇଁ ସେ ପରାମର୍ଶ ଦେଇଥିଲେ  ।  ଏହି ଧାନରେ ଜିଙ୍କ ଓ ପ୍ରୋଟିନ ଉଭୟ ରହୁଥିବାରୁ ଏହା ମନୁଷ୍ୟ ଶରୀର ପାଇଁ ଅଧିକ ଉପଯୋଗୀ ବୋଲି ସେ ମତବ୍ୟକ୍ତ କରି ଥିଲେ  ।

ଛେଳି ପାଳନ, ଗୋ ପାଳନ, ମାଛ ଚାଷ ସହିତ ମାଣ୍ଡିଆ ଚାଷ, ଘାସ ଚାଷ, ଫଳ, ପନି ପରିବା, ଫୁଲ ଚାଷ କରି ଆତ୍ମ ନିର୍ଭରଶିଳ ହେବାକୁ କୃଷି ବୈଜ୍ଞାନିକ ମାନେ କୃଷକମାନଙ୍କୁ ବୁଝାଇଥିଲେ ।  ବିଭିନ୍ନ କୃଷି ଯନ୍ତ୍ରପାତିରେ ସରକାରୀ ସହାୟତା ଉପଲବ୍ଧ ହେଉଛି  । ଏଣୁ କୃଷକ ମାନେ ଏହାର ସୁଯୋଗ ନେଇ କୃଷି ଯନ୍ତ୍ରପାତି କିଣି ଚାଷ କାର୍ଯ୍ୟରେ ଲଗାଇଲେ ଭଲ ଚାଷ ହୋଇପାରିବ ଓ କୃଷକ ଅଧିକ ଫସଲ ଅମଳ କରିପାରିବ ବୋଲି ଅଧିକାରୀମାନେ କହିଥିଲେ  ।  ଉପସ୍ଥିତ କୃଷକମାନେ କୃଷି ସଂକ୍ରାନ୍ତୀୟ ଅନେକ ପ୍ରଶ୍ନ ପଚାରିଥିଲେ  ।

କୃଷକ ମାନଙ୍କୁ ଚାଷ ସଂକ୍ରାତୀୟ ସଠିକ ଦିଗଦର୍ଶନ ଦେବାପାଇଁ କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼  ଗାୟତ୍ରୀ ସାହୁ,ଆଇସିଏଆର ର କୃଷି ବୈଜ୍ଞାନିକ  ଡ଼  ଦେବେନ୍ଦ୍ର ନାଥ ଷଢଙ୍ଗୀ, ଗରଦପୁର ବ୍ଳକ କୃଷି ଅଧିକାରୀ ଡ଼  ଗୌତମ ଦାଶ, କୃଷି ଅଧିକାରୀ ପ୍ରଭାତ କୁମାର ସାହୁ,  କୃଷିଅଧିକାରୀ ଅନିରୁଦ୍ଧ ତରାଇ ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କୁ ବିଭିନ୍ନ ଚାଷ ସଂକ୍ରାନ୍ତରେ ବୁଝାଇଥିଲେ ଓ କୃଷକମାନଙ୍କ ଚାଷ ସଂକ୍ରାନ୍ତରେ ଅନେକ ପ୍ରଶ୍ନର ଉତ୍ତର ବୁଝାଇ କହିଥିଲେ  ।

ଅଗ୍ରଣୀ କୃଷକ ପ୍ରଦୀପ ବେଉରା,ପ୍ରତାପ ପରିଜା, ଧ୍ରୁବ ଚାରଣ ସାହୁ, କୈଳାସ ବାରିକ, କୈଳାସ ଓଝା,ପ୍ରମୋଦ ସାହୁ,ପ୍ରତାପ ମହାରଣା, କିଶୋର ପରିଜା, ସତ୍ୟାନନ୍ଦ ବାରିକ, ସୁବାସ ବାରିକ, ସୁବାସ ମହାରଣା, ତ୍ରୈଲୋକ୍ୟ ନାଥ ବେହେରା, ଯଦୁମଣି ବେହେରା, ଉପେନ୍ଦ୍ର ଦାଶପ୍ରମୁଖ କୃଷି ସଂକ୍ରାନ୍ତୀୟ ଅନେକ ପ୍ରଶ୍ନ ପଚାରି ଥିଲେ  ।  କୃଷି ଅଧିକାରୀ ମାନେ ସେ ସବୁର ସମାଧାନ କରିଥିଲେ  । ସମିତି ସଭ୍ୟ ଦିଲ୍ଲୀପ ସାହୁ, ସାମାଜିକ କର୍ମୀ ଗଙ୍ଗାଧର ମିଶ୍ର, କୃଷି କର୍ମଚାରୀ ଆରତୀ ଗୁଜୁରୁ, ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, କୃଷକ ସାଥି ବିଜ୍ଞାନ ବିଶ୍ୱାଳ, ରବୀନ୍ଦ୍ର ପରିଡା ପ୍ରମୁଖ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହାୟତା କରିଥିଲେ  ।

Leave a Reply

Your email address will not be published. Required fields are marked *