ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ପାଇଁ ୫୮ଟି ଅନୁମତି ପତ୍ର ପ୍ରଦାନ

ଜିଆଖତ ଉତ୍ପାଦନ ପାଇଁ ଗୋଶାଳା ଓ ଗୋପାଳକଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି : ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଭୁବନେଶ୍ୱର, ୦୬/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୋଶାଳାଗୁଡ଼ିକୁ ସ୍ୱୟଂସମ୍ପନ୍ନ ଓ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର (ଭର୍ମିକମ୍ପୋଷ୍ଟ) ୟୁନିଟ୍ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର (ଗୋ ଆହେଡ ଲେଟର) ପ୍ରଦାନ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ରାଜ୍ୟର ୫୮ଟି ଗୋଶାଳାକୁ ଏହି ଅନୁମତି ପତ୍ର ପ୍ରଦାନ କରିଛନ୍ତି ।
ଏହି ଉପଲକ୍ଷେ କୃଷି ଭବନଠାରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ପ୍ରାଣିକଲ୍ୟାଣ ଓ ଗୋପାଳକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ସ୍ୱରୂପ ଗୋଶାଳାରେ ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ରାଜ୍ୟ ସରକାରଙ୍କ ଏକ ଅଭିନବ ପଦକ୍ଷେପ । ଜିଆଖତ ଉତ୍ପାଦନ କରି ଗୋଶାଳାଗୁଡ଼ିକ ସ୍ୱାବଲମ୍ବୀ ହୋଇପାରିବେ ଏବଂ ଗୋପାଳକମାନେ ସେମାନଙ୍କ ଆୟକୁ ଅନେକାଂଶରେ ବୃଦ୍ଧି କରିପାରିବେ । ଜିଆଖତ ରାଜ୍ୟର ଜୈବିକ କୃଷିକୁ ପ୍ରୋତ୍ସାହିତ କରିବ ଏବଂ ମୃତ୍ତିକାର ଉର୍ବରତା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ଉପଯୋଗୀ ହୋଇପାରିବ । ଗୋବର ଓ ଗୋମୂତ୍ର ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା କରି ସେଥିରୁ ଭର୍ମିକମ୍ପୋଷ୍ଟ ପ୍ରସ୍ତୁତ କରିବା ପାଇଁ ଗୋଶାଳା, ପ୍ରାଥମିକ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଦସ୍ୟ ଓ ଗୋପାଳକମାନଙ୍କ ଗୋଧନ ୟୁନିଟ୍ ପ୍ରତିଷ୍ଠା ପାଇଁ ୫୦ ପ୍ରତିଶତ ସହାୟତା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରିହାତି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ରାଜ୍ୟ ସରକାର ପ୍ରାଣିସମ୍ପଦ ଓ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ସୁବିଧାକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଦୁଃସ୍ଥ ଓ ଅସହାୟ ବୁଲା ଷଣ୍ଢ, ବଳଦ ଇତ୍ୟାଦିଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପଦ ଆଶ୍ରୟସ୍ଥଳ ହେଉଛି ଗୋଶାଳା । ବେସରକାରୀ ସ୍ତରରେ ସ୍ଥାପିତ ହୋଇଥିବା ଗୋଶାଳାଗୁଡ଼ିକରେ ଗାଈଗୋରୁଙ୍କ ରକ୍ଷଣାବେକ୍ଷଣ ଓ ନୂତନ ଗୋଶାଳା ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଚଳିତ ବର୍ଷ ଏ ବାବଦରେ ପ୍ରାୟ ୯ କୋଟି ଟଙ୍କା ବଣ୍ଟନ କରାଯାଇଛି । ରାଜ୍ୟର ସମସ୍ତ ୩୧୪ଟି ବ୍ଲକ୍‌ରେ ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣିସେବା ଯାନର ବ୍ୟବସ୍ଥା ହୋଇଛି ଏବଂ ସହରାଞ୍ଚଳରେ ତୁରନ୍ତ ପ୍ରାଣିଚିକିତ୍ସା ପାଇଁ ମଧ୍ୟ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
କାର୍ୟ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜରା ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଭର୍ମିକମ୍ପୋଷ୍ଟ ଗୋଧନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଗୋଶାଳାରୁ ଉତ୍ପାଦିତ ବର୍ଜ୍ୟବସ୍ତୁର ସୁପରିଚାଳନା ହେବା ସହିତ ଏଥିରୁ କୃଷି ଉପଯୋଗୀ ମୂଲ୍ୟବାନ ଜିଆଖତ ଉତ୍ପାଦନ ହୋଇପାରିବ ।
ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ବିଭିନ୍ନ ଗୋଶାଳା ଓ ଗୋପାଳକମାନଙ୍କୁ ଜିଆଖତ ଗୋଧନ କେନ୍ଦ୍ର ସ୍ଥାପନ ଓ ପରିଚାଳନା ଏବଂ ଗୋବରୁ ଜିଆଖତର ଉତ୍ପାଦନର ବୈଷୟିକ ଦିଗ ସମ୍ପର୍କରେ ବିଶଦ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଏହି କାର୍ୟ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଗୋଶାଳାର କର୍ମକର୍ତ୍ତା, ଗୋପାଳକ ଓ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *