ବିଶ୍ଵ ଦରଜୀ ଦିବସ ପାଳିତ

” ବୃତ୍ତି ଛାଡ଼ି ହେଉନି କି ପେଟ ପୋଷି ହେଉନି”

ଭୁବନ ,୦୪ /୦୬/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ଦରଜୀ ସଂଘ ତରଫରୁ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଥିବା ଯୋଗ ଗୃହ ଠାରେ ବିଶ୍ଵ ଦରଜୀ ଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ଅଚ୍ୟୁତାନନ୍ଦ ପାତ୍ର ଅଧ୍ୟକ୍ଷତା କରି କହିଥିଲେ ଯେ ଆଜିର ରେଡିମେଡ ଯୁଗରେ ଦରଜୀ କାମ କରି ପରିବାର ଚଳାଇବା କଷ୍ଟକର ବିଷୟ ।

ଦରଜୀ ମାନଙ୍କୁ ସରକାର ଙ୍କ ସର୍ବନିମ୍ନ ମଜୁରୀ ମଧ୍ୟ ମିଳୁନାହିଁ । କେବଳ ସିଜିନ ବ୍ୟତୀତ ଅନ୍ୟ ସମୟରେ କାମ ଅଭାବରୁ ଦୁଃଖ ଦୁର୍ଦ୍ଦଶାରେ ଚଳିବାକୁ ପଡୁଛି । ବୃତ୍ତି ଛାଡ଼ି ହେଉନି କି ପେଟ ପୋଷି ହେଉନି । ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଯଦିଓ ଦରଜୀ ମାନଙ୍କୁ ଶ୍ରମିକ ମାନ୍ୟତା ଦେଇଛି କିନ୍ତୁ କୌଣସି ସୁବିଧା ସୁଯୋଗ ପ୍ରଦାନ କରାଯାଉନାହିଁ ।

ଦରଜୀ ମାନଙ୍କୁ ଅସମୟରେ ମୃତ୍ୟୁ,ଅକର୍ମଣ୍ୟ ସହାୟତା ପିଲାଙ୍କ ଉଚ୍ଚ ଶିକ୍ଷା,ଝିଅ ବିବାହ ସମୟରେ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଜୟକୃଷ୍ଣ ବେହେରା,ଉପ ସଭାପତି ଅର୍ଜୁନ ପୃଷ୍ଟି,ସହ ସମ୍ପାଦକ ପ୍ରମୋଦ କୁମାର ଦାସ,ରଘୁନାଥ ରଣା ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ଏହି ଅବସରରେ ୮୦ ଜଣ ମହିଳା/ପୁରୁଷ ଦରଜୀ ଙ୍କୁ ପରିଚୟ ପତ୍ର ଓ ଅଣ ସଂଗଠିତ ଶ୍ରମିକ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *