ଅବହେଳିତ କୁତ୍କାଝୋଲା ଆଦିବାସୀ ଗ୍ରାମ

ଲକ୍ଷ୍ମୀପୁର ୦୫/୦୧/୨୩(ଓଡ଼ିଶା ସମାଚାର/ପ୍ରମୋଦ ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କିଛି ଦୁର୍ଗମ ଅଞ୍ଚଳ ରହିଛି ଯୋଉଠି କି ଆଜିଯାଏଁ ଭଲ ରାସ୍ତାଟିଏ ହୋଇ ପାରୁନଥିବା ଦୁଃଖର ବିଷୟ ପାଲଟିଛି। ସ୍ଵାଧିନତାର ୭୭ ବର୍ଷ ବିତିବାକୁ ଗଲାଣି । ଏହା ମଧ୍ୟରେ ଉକ୍ତ ଅଞ୍ଚଳରେ ଜନ୍ମ ହୋଇଥିବା ଅନେକ ଲୋକ ପିଲାରୁ ବୁଢା ହୋଇ ଗଲେଣି । କିନ୍ତୁ ଆଜିଯାଏଁ ଭଲ ରାସ୍ତାଟିଏ ଦେଖି ପାରିଲେନି ବୋଲି ବଡ ଦୁଃଖର ସହ କହୁଛନ୍ତି। ଗରିବ ଖଟିଖିଆ ଆଦିବାସୀ ଦୁନିଆର ଭଲ କଣ ଆଉ ମନ୍ଦ କଣ ଜାଣେନା । ଯାହାର ଫାଇଦା ନେଉଛନ୍ତି ନେତା ଓ ପ୍ରଶାସନିକ ଅଧିକାରୀ। ଆଦିବାସୀ ଙ୍କ ନାମରେ ସବୁ କ୍ଷେତ୍ରରେ ରାଜନୀତି ହେଉଛି କିନ୍ତୁ ପ୍ରକୃତରେ ସେହି ଆଦିବାସୀ ଙ୍କ ପାଖରେ ପହଁଚି ସେମାନଙ୍କ ଦୁଃଖ ଦେଖିବାକୁ ଥରୁଟିଏ କେହିବି ଚେଷ୍ଟା କରିନାହାନ୍ତି।
ରାଜ୍ୟ ସରକାର ପଛୁଆ ଅଞ୍ଚଳ ର ବିକାଶ ଉପରେ ବାହାବା ଗୋଟାଉ ଥିବାବେଳେ ଅନେକ ଅଂଚଳ ଆଜିବି ବ୍ଲକ ସଦର ଠାରୁ ଅଳ୍ପ ଦୂରରେ ରହିବି ଯାତାୟତ ପାଇଁ ସେଠାକାର ଲୋକଙ୍କୁ ଅନେକ ହଇରାଣ ହରକତର ସମୁଖିନ ହେବାକୁ ପଡୁଛି।ସେହିଭଳି ଏକ ଉଦାହରଣ ସାଜିଛି ବୁର୍ଜା ପଞ୍ଚାୟତର କୁତ୍କାଝୋଲା ଗ୍ରାମ । ଗ୍ରାମରେ ୩୨ଘର ଆଦିବାସୀ ଓ ଦଳିତ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ଦେଢ ଶହରୁ ଉର୍ଦ୍ଧ।ସମସ୍ତେ ପାହଡ ଉପରେ ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ଲକ୍ଷ୍ମୀପୁର ବ୍ଲକ ସଦରଠାରୁ ଛଅ କିଲୋମିଟର ଦୂରରେ ଥିବା ବୁର୍ଜା ପଞ୍ଚାୟତର କୁତ୍କାଝୋଲା ଗ୍ରାମ । ରାସ୍ତାଟିଏ ପାଇଁ ଅନେକ ବର୍ଷ ହେଲାଣି ଅନାଇ ବସିଛି। କିନ୍ତୁ ଆଜି ହେବ ନଚେତ କାଲି ହେବ ଏହି ଭଳି ଆଶା ବାନ୍ଧି ଚାତକ ପକ୍ଷୀ ପରି ଚାହିଁ ବସିଛନ୍ତି ଗ୍ରାମବାସୀ। ବହୁବାର ଅନେକ ସମସ୍ୟାରେ ଗ୍ରାମବାସୀ ଘାଣ୍ଟି ହୋଇ ପ୍ରଶାସନ ଆଗରେ ନେହୁରା ହୋଇଛନ୍ତି । କିନ୍ତୁ ତାଙ୍କ କଥା ଶୁଣୁଛିକିଏ। ପ୍ରଶାସନ ଏଠି ପୁରା ନିର୍ଜିବ ପାଲଟିଛି। ଅନେକ ଥର ଗ୍ରାମର ପ୍ରସୁତି ଓ ଗର୍ଭବତି ମହିଳା ମାନେ ମଧ୍ୟ ହଇରାଣ ହରଗତର ସମୁଖିନ ହୋଇଥିବା ନଜିର ରହିଛି। ଲକ୍ଷ୍ମୀପୁର ଠାରୁ ନାରାୟଣପାଟଣା ସଂଯୋଗ କରୁଥିବା ରାସ୍ତାରେ ତିନି କିଲୋମିଟର ନାଳଚୁଆଁ ଗ୍ରାମ ପାଖକୁ ଯାଇ ସେଠାରୁ ପୁଣି ତିନି କିଲୋମିଟର ପାହାଡର କଡେକଡେ ଚାଲିକି ଗଲେ ପଡେ କୁତ୍କାଝୋଲା ଗ୍ରାମ। ଉକ୍ତ ରାସ୍ତାରେ ଚାଲିକି ଗଲେ ପାଦେ ପଦେ ଭାରି ରହିଛି ବିପଦ। ସମନ୍ୟ ଅସାବଧାନ ହେଲେ ମଣିଷ କେତେଫୁଟ ତଳକୁ ଖସିପଡ଼ିବ ତାହା କହିବା ମୁସ୍କିଲ। ତଥାପି ଗ୍ରାମବାସୀ ଦିନ ରାତି ସେହି ରାସ୍ତାରେ ଜୀବନକୁ ପାଣି ଛଡାଇ ଚଳପ୍ରଚଳ କରନ୍ତି। ରୋଗୀଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ଯିବା କଷ୍ଟ କର ହେଉଥିବାରୁ ନାଳଚୁଆଁ ଗ୍ରାମ ପାଖରେ ଅଟକି ରୁହେ। ଗ୍ରାମବାସୀ ରୋଗୀଙ୍କୁ ଖଟିଆରେ ବୋହିକି ଆଣି ଆମ୍ବୁଲାନ୍ସ ପାଖରେ ପହଁଚି ସେଠାରୁ ଲକ୍ଷ୍ମୀପୁର ମେଡିକାଲକୁ ଆଣିଥାନ୍ତି। ପାହାଡିଆ ପଥୁରିଆ ରାସ୍ତା ସବୁ କ୍ଷେତ୍ରରେ ବାଧା ସୃଷ୍ଟି କଲେବି ଭଗବାନଙ୍କ ଭରଷା ରେ ଗ୍ରାମବାସୀ ଅଛନ୍ତି। ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଦେଲେ କିନ୍ତୁ ସେଇ ଚାଉଳ ଆଣିବାକୁ ୩୦ ଟଙ୍କା ଖର୍ଚ ହେଉଛି।ଏହା ମଧ୍ୟରେ ଆମକୁ ଗୋଟିଏ ଦିନର ମଜୁରି ହରାଇବାକୁ ପଡୁଛି।ସବୁ କ୍ଷେତ୍ରରେ ଏହି ରାସ୍ତା ବଡ ସମସ୍ୟା ରୁପେ ଛିଡା ହୋଇଛି। ହେଲେ ନେତା ମାନେ ଭୋଟ ସମୟରେ ଆସି ପ୍ରତିଶ୍ରୁତିରେ ପୋତି ପକାନ୍ତି କିନ୍ତୁ ଜିତି ଗଲା ପରେ ଆଜିଯାଏଁ କାହାରି ପାଦ ଆମ ଗ୍ରାମରେ ପଡିନି ଏପରିକି କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ଆମ ଦୁଃଖରେ ମଲମ ଲଗାଇବାକୁ ଆସିନାହାନ୍ତି ବୋଲି ଗ୍ରାମବାସୀ ଦୁଃଖର ସହ କହିଛନ୍ତି। ଗ୍ରାମରେ ଏକ ଶୈବ ପିଠ ମଧ୍ୟ ରହିଛି।ପ୍ରତ୍ୟେକ ବର୍ଷ ଶ୍ରାବଣ ଓ କାର୍ତିକ ମାସରେ ଭକ୍ତଙ୍କ ଭିଡ ଜମେ କିନ୍ତୁ ରାସ୍ତାଟିଏ ନଥିବାରୁ ଶୈବ ପୀଠ ତାର ସତା ହରାଇ ବସିଛି।ଲୋକେବି ପାସୋରି ଗଲେଣି ସେଠି ଗୋଟେ ଶୈବ ପୀଠ ଥିଲା ବୋଲି। ସବୁରି କାରଣ ହେଲା ରାସ୍ତା। କୁତ୍କାଝୋଲା ଗ୍ରାମକୁ ରାସ୍ତା ନଥିବା କଥା ଅନେକ ଥର ବିଭିନ୍ନ ଖବର କାଗଜରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରଶାସନର ନିଦ ଏଟାଏଁ ଭାଙ୍ଗିନି । ତେଣୁ ଗ୍ରାମବାସୀଙ୍କର ପ୍ରଶାସନ ଉପରୁ ଆସ୍ଥା ଉଠିଯିବା ପୁର୍ବରୁ ତୁରନ୍ତ କୁତ୍କାଝୋଲା ଗ୍ରାମ ଉପରେ ପ୍ରଶାସନର ଦୃଷ୍ଟି ପଡ଼ିବା ନିହାତି ଦରକାର ହୋଇ ପଡ଼ିଛି।

Leave a Reply

Your email address will not be published. Required fields are marked *