କଡ଼ ଲେଉଟାଉଛି କରୋନା: କିଡନୀ ରୋଗରେ ଆକ୍ରାନ୍ତ ଥିଲେ ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର,୨୧/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଦେଶକୁ ପୁଣି ଫେରିଛି କରୋନା ମହାମାରୀ ଏବଂ ଏହା ଦୁଇ ଜଣଙ୍କ ଜୀବନ ନେଇଛି । ହଂକଂ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଆତଙ୍କ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ମୁମ୍ବାଇରେ କେଇଏମ୍ ହସ୍ପିଟାଲରେ ୨ ଚିକିତ୍ସାଧୀନଙ୍କ ମୃତ୍ୟୁ ଘଟିଛି । ସେମାନେ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ ।

ନୀଳକଂଠ ମିଶ୍ର

୨ ମୃତକଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେ କର୍କଟ ରୋଗରେ ପୀଡିତ ଥିଲେ । ଆଉ ଜଣେ ୧୩ ବର୍ଷୀୟ ନାବାଳିକା କିଡନୀ ରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି । ସିଙ୍ଗାପୁରରେ କରୋନାର ଯେଉଁ ମାମଲା ଦେଖାଯାଇଛି, ତାହା ଏଲଏଫ.୭ ଓ ଏନବି.୧ ପ୍ରକରଣ । ଏହି ପ୍ରକରଣ ଜେଏନ୍.୧ ସହ ଜଡିତ । ଏଭଳି ସ୍ଥିତିରେ ସତର୍କତା ଅବଲମ୍ବନ କରିବାପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନୀଳକଂଠ ମିଶ୍ର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନେ ସାବଧାନ ରୁହନ୍ତୁ । କିଡନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାସ୍କ ପିନ୍ଧନ୍ତୁ । ଏବେ କୋଭିଡ ଓମିକ୍ରନର ସବଭାରିଆନ୍ଟ ବ୍ୟାପୁଛି । ଓଡ଼ିଶାରୁ ଯଦି କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି , ତେବେ ତୁରନ୍ତ ଜିନମ ସିକ୍ୟୁଏନସ ପାଇଁ ପଠାଯିବ । ଏନେଇ ଏପର୍ଯ୍ୟନ୍ତ କେନ୍ଦ୍ରରୁ କୌଣସି ମାର୍ଗଦର୍ଶିକା ଜାରି କରାଯାଇ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ଶ୍ରୀ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *