ଦାବି ପୂରଣ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ସଂଘ ଲୋୟର ପିଏମଜି ରେ ହୋମ ଯଜ୍ଞ କରି ଠାକୁରଙ୍କ ଶରଣ ଗଲେ

ଭୁବନେଶ୍ୱର, ୨୩/୦୩/୨୦୨୫ (ଓଡିଶା ସମାଚାର /ଦୀପ୍ତିରଞ୍ଜନ କାନୁନଗୋ )- ଜାତୀୟ ସ୍ୱାସ୍ଥ୍ୟ ମିଶନ ରାଜ୍ୟ କର୍ମଚାରୀ ସଂଘ ନିଜର ଦାବି ପୂରଣ ପାଇଁ ଲୋୟର ପିଏମଜି ଛକରେ ଖରା, ତାତିରେ ଓ କାଳ ବୈଶାଖୀ ବର୍ଷାରେ ଛତା ଧରି ନିଜର ଅଫିସ ଛାଡି,ଘରଦ୍ୱାର ଛାଡି, ପିଲାଛୁଆ ଛାଡି, ବୃଦ୍ଧ ବାପ ମାଙ୍କୁଘରେ ଛାଡି ଆନ୍ଦୋଳନ କଲାପରେ ଆଜି ରବିବାର ଚଉଦ ଦିନରେ ଠାକୁରଙ୍କ ଶରଣାପନ୍ନ ହୋଇ ଆନ୍ଦୋଳନ ସ୍ଥଳୀ ରେ ବ୍ରାହ୍ମଣ ଙ୍କ ଦ୍ୱାରା ହୋମ ଯଜ୍ଞ କରିଛନ୍ତି । ବିଶ୍ଵାସ ଅଛି ଠାକୁର ସେମାନଙ୍କ ଦୁଃଖ ନିଶ୍ଚୟ ଶୁଣିବେ ।

ରାଜ୍ୟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଜ୍ୟ ମୁଖ୍ୟ କାର୍ୟ୍ୟାଳୟରେ କାର୍ୟ୍ୟରତ ଥିବା ୪୨୦୦ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀ ମାନେ କୋଡିଏ ବର୍ଷ ହେବ ଏହି ଗୁରୁତ୍ୱ ପୂର୍ଣ୍ଣ ବିଭାଗରେ କାର୍ୟ୍ୟ କରୁଛନ୍ତି । ହେଲେ ସରକାର ସେମାନଙ୍କୁ ଆଜି ପର୍ୟ୍ୟନ୍ତ ଠିକା କର୍ମଚାରୀ ଭାବେ ଖଟାଉଛନ୍ତି । ବିଭିନ୍ନ ସରକାରୀ ବିଭାଗରେ କାର୍ୟ୍ୟରତ ଠିକା କର୍ମଚାରୀମାନଙ୍କୁ ସରକାର ସ୍ଥାୟୀ କର୍ମଚାରୀ ଭାବେ ମାନ୍ୟତା ଦେଇସାରିଥିବା ସ୍ଥଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀମାନଙ୍କୁ କୋଡିଏ ବର୍ଷ ହେବ ଠିକାରେ ଖଟାଉଥିବା ଘଟଣା ସାଧାରଣରେ ନିନ୍ଦା କରାଯାଉଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ଭଳି ଏକ ଗୁରୁତ୍ୱପୂର୍ଣ କେନ୍ଦ୍ରୀୟ ଯୋଜନା ରେ ସ୍ୱାସ୍ଥ୍ୟ ବିଭାଗ ଉପଯୁକ୍ତ ଚୟନ ପକ୍ରିୟାରେ ୪୨୦୦ ଊଚ୍ଚ ଶିକ୍ଷିତ ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗକୁ ଲୋକାଭିମୁଖୀ କରିବାରେ ସେମାନଙ୍କ ଅବଦାନ ସବୁଠାରୁ ଆଗରେ । ସରକାରଙ୍କ ଅନେକ ଅଭିଯାନ ଯଥା ମାତୃମୃତ୍ୟୁ ହାର କମାଇବା, ଶିଶୁ ମୃତ୍ୟୁ ହାର କମାଇବା, ଅଣସଂକ୍ରମକ ରୋଗଚିହ୍ନଟକାର୍ୟ୍ୟକ୍ରମ, ମେଲେରିଆ ନିରାକରଣ, ଟିବି ମୁକ୍ତ ଭାରତ ଅଭିଯାନ ଓ କୋଭିଡ ମହାମାରୀ ପରିଚାଳନା ଭଳି ଅଭିଯାନକୁ ସଫଳ କରାଇ ଓଡିଶା କୁ ଭାରତ ବର୍ଷରେ ପ୍ରଥମ କରାଇ ପୁରସ୍କୃତ କରିବା ପଛରେ ଜାତୀୟ ସ୍ୱାସ୍ଥ୍ୟମିଶନ କର୍ମଚାରୀଙ୍କ ଦିନରାତି ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ରାଜ୍ୟ ସ୍ୱାସ୍ଥ୍ୟମିଶନ କର୍ମଚାରୀ ସଂଘ ସଭାପତି ଅନିରୁଦ୍ଧ ପଣ୍ଡା କହିଛନ୍ତି ।

ଏଣୁ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ୟ୍ୟକରୁଥିବା କର୍ମଚାରୀଙ୍କୁ ଅନ୍ୟ ରାଜ୍ୟଭଳି ତୁରନ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବାକୁ ସଂଘ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ରାଜ୍ୟସରକାରଙ୍କ ନିକଟରେ ଦାବି କରିଛନ୍ତି । ଦାବିପୂରଣ ନହେବା ପର୍ୟ୍ୟନ୍ତଏହି ଆନ୍ଦୋଳନ ଚାଲୁରହିବ ଓ ସ୍ୱାସ୍ଥ୍ୟ ବିଭାଗରେ ଥିବା ଯୋଜନା ଗୁଡିକ ଧାର୍ୟ୍ୟଲକ୍ଷରେ ନ ପହଁଚିଲେ ସରକାର ନିଜେ ଦାୟୀ ରହିବେ ବୋଲି ସଭାପତି ଶ୍ରୀ ପଣ୍ଡା ସତର୍କ କରାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *