ଟ୍ରେଡିଂ ଏଜେନ୍ସି ମୁଖ୍ୟଙ୍କୁ ଅପହରଣ ଘଟଣା- ଅପହୃତ ଉଦ୍ଧାର ,୭ ଗିରଫ, କାର୍ ଓ ୪ ବାଇକ୍ ଜବତ

କଟକ,୨୧/୦୫/୨୦୨୫(ଓଡ଼ିଶା ସମାଚାର)- ଟ୍ରେଡ଼ିଂ ଏଜେନ୍ସିରେ ଲାଗିଥିବା ଟଙ୍କା କ୍ଷତି ହେବା ପରେ ଏଜେନ୍ସି ମୁଖ୍ୟଙ୍କୁ ଅପହରଣ କରିବା ଅଭିଯୋଗରେ କମିଶନ୍ରେଟ ପୁଲିସ ୭ ଯୁବକଙ୍କୁ ଗିରଫ କରିବା ସହ ଅପହୃତଙ୍କୁ ଉଦ୍ଧାର କରିଛି । ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡ଼ା ଜିଲା କୋର ଗ୍ରାମର ଏମ.ପି ଦିବ୍ୟଜ୍ୟୋତି (୨୭), ଜମ୍ବୁ ଗ୍ରାମର ବୁଦ୍ଧଦେବ ବସୁ (୧୯), ବଡ଼ହାଟ ଗ୍ରାମର ରାଜେଶ ଦାସ (୨୯), ଚୌରୀ ବରହମପୁର ଗ୍ରାମର ରାଜା ନାୟକ (୨୧), ବାବୁ ଓରଫ ପ୍ରଶାନ୍ତ ନାୟକ (୧୯) ଓ ରଣଜିତ ନାୟକ (୨୨) । ଏହାଛଡ଼ା ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ଅଭିଯୁକ୍ତମାନଙ୍କଠାରୁ ଗୋଟିଏ କାର୍ ଓ ୪ଟି ବାଇକ ଜବତ କରାଯାଇଛି ।

ସୂଚନାଯୋଗ୍ୟ ଗତ ୧୮ ତାରିଖରେ ସ୍ଥାନୀୟ ୪୨ମୌଜା ଥାନାରେ ରୀନା ବେହେରା ଅଭିଯୋଗ କରି ଦର୍ଶାଇଥିଲେ ଯେ କିଛି ଅଜଣା ଦୁର୍ବୃତ ୧୮ ତାରିଖ ସନ୍ଧ୍ୟା ୬ଟାରେ ତାଙ୍କ ପୁଅ ସୌମ୍ୟ ରଞ୍ଜନ ବେହେରା(୩୧)ଙ୍କୁ ଗୋଟିଏ କାର ଦ୍ୱାରା ଜବରଦସ୍ତି ଉଠାଇ ନେଇଛନ୍ତି । ସୌମ୍ୟ ରଞ୍ଜନ ଭୁବନେଶ୍ୱର ଖାରବେଳ ନଗର ଥାନା ଅଂଚଳରେ ୨୦୧୯ରେ ଏକ ଟ୍ରେଡ଼ିଂ ଏଜେନ୍ସି ଖୋଲିଥିଲେ । ସେ ବହୁ ଲୋକଙ୍କଠାରୁ ଅଳ୍ପ ସମୟ ମଧ୍ୟରେ ଅଧିକ ଲାଭ ପାଇବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଆଣି ଷ୍ଟକ ମାର୍କେଟରେ ପୁଞ୍ଜି ନିବେଶ କରିଥିଲେ ।

ଷ୍ଟକ୍ ମାର୍କେଟରେ ମାନ୍ଦା ଅବସ୍ଥା ଆସିବାରୁ ୨୦୧୯-୨୦୨୨ ମଧ୍ୟରେ ସୌମ୍ୟ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିଲେ । ନିବେଶକମାନଙ୍କୁ ମୂଳ ପୁଞ୍ଜି ମଧ୍ୟ ପରିଶୋଧ କରି ନ ପାରିବାରୁ ସୌମ୍ୟ ଭୁବନେଶ୍ୱରରୁ ଆସି ସ୍ଥାନୀୟ ୪୨ ମୌଜା ଥାନା ଅନ୍ତର୍ଗତ ବଉଳକୁଦରେ ରହୁଥିଲେ । ତେବେ କେନ୍ଦ୍ରାପଡ଼ା ଜିଲାର ରାଜେଶ ଦାସ ଓ ତାଙ୍କ ସହଯୋଗୀ ଏମ ପି ଦିବ୍ୟଜ୍ୟୋତି ପ୍ରାୟ ୭୦ଲକ୍ଷ ଟଙ୍କା ସୌମ୍ୟଙ୍କ ନିକଟରେ ନିବେଶ କରି ଟଙ୍କା ହରାଇଥିଲେ । ଟଙ୍କା ଫେରି ପାଇବା ପାଇଁ ରାଜେଶ ଓ ଦିବ୍ୟଜ୍ୟୋତି ତାଙ୍କର ଅନ୍ୟ ସାଥୀଙ୍କ ସହିତ ମିଶି ସୌମ୍ୟଙ୍କୁ ବଉଳକୁଦରୁ ଅପହରଣ କରି କେନ୍ଦ୍ରାପଡ଼ାକୁ ନେଇ ଯାଇଥିଲେ ।

ଅଭିଯେଗ ସହ ଅପହୃତଙ୍କ ବାବଦରେ ବୁଝିଲା ପରେ ଏତଲାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିବା ସହିତ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଚଳାଇଥିଲେ । ତେବେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ କେନ୍ଦ୍ରାପଡ଼ାରୁ ସୌମ୍ୟଙ୍କୁ ଏକ ଅଜ୍ଞାତ ସ୍ଥାନରୁ ଉଦ୍ଧାର କରିଥିଲା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପିି ରିଶିକେଶ ଖିଲାରୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *