କଟକ,୧୯/୦୫/୨୦୨୫(ଓଡ଼ିଶା ସମାଚାର)- କାର ବିକି୍ର କରିବାକୁ କହି ଲକ୍ଷାଧିକ ଟଙ୍କା ନେଇ ଠକେଇ କରିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ ଜଣେ ପେସାଦାର ଠକକୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ସୁଂଠଳର ପି୍ରୟବ୍ରତ ଦାସ ଓରଫ କାହ୍ନା (୨୫) । କାହ୍ନା ନିଜକୁ ଆୟାନ୍ କନସଲଟାନସିର ରିକଭରୀ ଏଜେଂଟ ଭାବେ ପରିଚୟ ଦେଇ ଆକର୍ଷଣୀୟ ଦରରେ ପୁରୁଣା ଗାଡ଼ି ବିକ୍ରୟ ନିମନ୍ତେ ଫେସବୁକ୍ ରେ ଗାଡ଼ି ଫଟୋ ଓ ଯୋଗାଯୋଗ ପାଇଁ ନିଜ ମୋବାଇଲ ନମ୍ବର ଦେଇ ପ୍ରଚାର ଚଳାଇଥିଲା ।
ତେବେ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ଗ୍ରାମର ସୌମ୍ୟ ନିହାର ଦାସ କାହ୍ନା ସହିତ ଯୋଗାଯୋଗ କରିଥିଲେ ଓ ଏକ ସ୍ୱିଫ୍ଟ ଡିଜେଆର ପୁରୁଣା କାର (ଓଡ଼ି-୨୨-ଡବ୍ଲୁ- ୪୩୭୨) କିଣିବା ପାଇଁ ସ୍ଥିର ହୋଇଥିଲା । ଏଥିପାଇଁ ଚୁକ୍ତିପତ୍ର କରାଯିବା ପରେ ଅଗ୍ରୀମ ଆକାରରେ ୧ ଲକ୍ଷ ୮୦ହଜାର ଟଙ୍କା ତାଙ୍କ ଦୁଇଟି ବ୍ୟାଙ୍କ ଖାତାକୁ ଅନଲାଇନ୍ ରେ ପଠାଇଥିଲେ । ଗାଡ଼ି ନେବା ବେଳେ ଅବଶିଷ୍ଟ ୨ଲକ୍ଷ ଟଙ୍କା ଦେବାକୁ କଥା ଛିଡ଼ିଥିଲା ।
ମାତ୍ର ଗତ ଏପ୍ରିଲ୍ ୩ ତାରିଖରେ ସେ ଗାଡ଼ି ଦେବାକୁ କହିଥିଲା ବେଳେ ତାହା ନ ଦେବାରୁ ଅଭିଯୋଗକାରୀ ଅନୁସନ୍ଧାନ କରି ସେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଏ ନେଇ ଏପି୍ରଲ ୫ ତାରିଖରେ ସେ ମଙ୍ଗଳାବାଗ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ସେ ଜଣେ ପେସାଦାର ଠକ ବୋଲି ଜଣାପଡ଼ିଥିଲା । ସମ୍ପୃକ୍ତ ଗାଡ଼ିର କାଗଜପତ୍ର କିମ୍ବା ଗାଡ଼ି କିଛି ତାଙ୍କ ଅଧୀନରେ ନଥିଲା ।
ପୁଲିସ ଅଭିଯୁକ୍ତକୁ ଗିରଫ କରି ତା’ ନିକଟରୁ ଗୋଟିଏ ବାଜାଜ ପଲସର ମୋଟରସାଇକେଲ, ୫ଟି ମୋବାଇଲ, ନଗଦ ୬୫ହଜାର ଟଙ୍କା, ୬ଟି ଏଟିଏମ୍ କାର୍ଡ଼, ୪ଟି ବ୍ୟାଙ୍କ ପାସବୁକ୍, ୪ଟି ସିମକାର୍ଡ଼, ପ୍ୟାନକାର୍ଡ଼, ଆୟାନ କନସଲଟାନସି ରିକଭରୀ ଏଜେଂଟ ଆଇକାର୍ଡ, ଚେକବୁକ୍ ଆଦି ଜବତ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । କାହ୍ନା ବିରୁଦ୍ଧରେ ବାଲେଶ୍ୱର, କଟକ, ଯାଜପୁର, ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ ୯ଟି ମାମଲା ରହିଛି ।
