ଓଡ଼ିଶା ପର୍ଯ୍ୟଟନର ନୂଆ ପରିଚୟ: ଉନ୍ମୋଚିତ ହେଲା ନୂଆ ଟ୍ୟାଗଲାଇନ୍ “Think India, Think Odisha” ଏବଂ “OMC ପୁରୀ କୋଷ୍ଟାଲ ମାରାଥନ”

ଭୁବନେଶ୍ୱର,୨୨/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଏକ ନୂତନ ବ୍ରାଣ୍ଡ୍ ପରିଚୟ ଏବଂ ଟ୍ୟାଗଲାଇନ୍ “Think India, Think Odisha” ଉନ୍ମୋଚିତ ହୋଇଯାଇଛି। ରାଜ୍ୟର ପର୍ଯ୍ୟଟନକୁ ଏକ ଅନୁଭୂତି-ଭିତ୍ତିକ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବରେ ଗଢ଼ିତୋଳିବା ପାଇଁ ଏହା ଏକ ଦୃଢ଼ ପଦକ୍ଷେପ।  ଭିଜନ ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ଭିଜନ ବିକଶିତ ଭାରତ ୨୦୪୭ ର ଲକ୍ଷ୍ୟ ସହିତ ସମାନ୍ତରାଳ ଭାବେ ଓଡ଼ିଶା ଏବେ ଏକ “ଲୁକ୍କାୟିତ ରତ୍ନ”ରୁ ପରିବର୍ତ୍ତିତ ହୋଇ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ପର୍ଯ୍ୟଟନ ହବ୍ ଭାବେ ଉଭା ହୋଇଛି।

ଏହି ଅବସରରେ ପୁରୀର ତାଜ୍ ରିସୋର୍ଟ ଆଣ୍ଡ ସ୍ପାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ “OMC ପୁରୀ କୋଷ୍ଟାଲ ମାରାଥନ” ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତି, ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ଶ୍ରୀ ବଲୱନ୍ତ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଓଡ଼ିଶା ଏବେ ଏକ ଉଚ୍ଚ-ପ୍ରଦର୍ଶନକାରୀ ପର୍ଯ୍ୟଟନ ଅର୍ଥନୀତି ଆଡ଼କୁ ଗତି କରୁଛି। ନୂଆ ଟ୍ୟାଗଲାଇନ୍ ବିଶ୍ୱବାସୀଙ୍କୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ମାଧ୍ୟମରେ ଭାରତକୁ ପୁନଃ ଆବିଷ୍କାର କରିବାକୁ ନିମନ୍ତ୍ରଣ କରିବ।

ଏହି ଅବସରରେ ଲୋଗୋ ଉନ୍ମୋଚନ ପୂର୍ବରୁ ବ୍ଲୁ-ଫ୍ଲାଗ୍ ବିଚ୍‌ରୁ ତାଜ୍ ରିସୋର୍ଟ ପର୍ଯ୍ୟନ୍ତ ଏକ ସାଙ୍କେତିକ ଦୌଡ଼ର ଆୟୋଜନ କରାଯାଇଥିଲା। ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ମାରାଥନର ଅଫିସିଆଲ୍ ଲୋଗୋ ପ୍ରଦର୍ଶିତ ହୋଇଥିଲା। ଆଜିଠାରୁ ମାରାଥନ ପାଇଁ ଅଫିସିଆଲ୍ ୱେବସାଇଟ୍ ଜରିଆରେ ପଞ୍ଜିକରଣ ଆରମ୍ଭ ହୋଇଛି।

OMC ପୁରୀ କୋଷ୍ଟାଲ ମାରାଥନ:

ତାରିଖ: ୧୩ ଡିସେମ୍ବର, ୨୦୨୬

ମୋଟ ନଗଦ ପୁରସ୍କାର: ୧ କୋଟି ଟଙ୍କା

ବିଭାଗ: ଫୁଲ୍ ମାରାଥନ (୪୨ କିମି), ହାଫ୍ ମାରାଥନ (୨୧ କିମି), ୧୦ କିମି ଏବଂ ୫ କିମି।

ପୁରୀର ସୁନ୍ଦର ସମୁଦ୍ର କୂଳରେ ଅନୁଷ୍ଠିତ ହେବାକୁ ଥିବା ଏହି ମାରାଥନ ଦେଶର ଅନ୍ୟତମ ବଡ଼ କ୍ରୀଡ଼ା ଆୟୋଜନ ଭାବେ ଗଣାଯିବ। ଏହାର ଲୋଗୋରେ ଓଡ଼ିଶାର ପତିତପାବନ ବାନା, କୋଣାର୍କ ଚକ୍ର ଏବଂ ବଙ୍ଗୋପସାଗରର ଲହଡ଼ିକୁ ସ୍ଥାନ ଦିଆଯାଇଛି, ଯାହା ଗତିଶୀଳତା ଏବଂ ଶକ୍ତିର ପ୍ରତୀକ।

-0-

ଅଲିଭା ଅଭିଲିପ୍ସା ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *