ଭୁବନେଶ୍ୱର,୦୭/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମଂଚେଶ୍ୱର ରେଲୱେ ରୋଡସ୍ଥିତ ରାଜ୍ୟ ବିଦୁ୍ୟତ ଭାର ପ୍ରେରଣ କେନ୍ଦ୍ର (ଏସଏଲଡିସି) ପରିଦର୍ଶନ କରିଛନ୍ତି ।
ଏହି ଅବସରରେ ରାଜ୍ୟପାଳ ଏସଏଲଡିସିର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ସହିତ ଏହାର ନିୟନ୍ତ୍ରଣ କକ୍ଷ (କଂଟ୍ରୋଲ ରୁମ୍) ପରିଦର୍ଶନ କରି ସେଠାରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକଳାପ ସଂମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଏସଏଲଡିସିର କାର୍ଯ୍ୟାବଳୀ, ରାଜ୍ୟର ବିଦୁ୍ୟତ ବ୍ୟବସ୍ଥାରେ ଏହାର ଗୁରୁତ୍ୱ ଏବଂ ବିଦୁ୍ୟତ ଗ୍ରୀଡର ନିରବଚ୍ଛିନ୍ନ ପରିଚାଳନା ପାଇଁ ଏହା କିପରି କାର୍ଯ୍ୟ କରୁଛି ସେ ବିଷୟରେ କର୍ମକର୍ତ୍ତା ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।

ଏସଏଲଡିସିର ଅଧିକାରୀମାନେ ରାଜ୍ୟରେ ବିଦୁ୍ୟତ ଚାହିଦା ଓ ଯୋଗାଣର ସନ୍ତୁଳନ ରକ୍ଷା, ଗ୍ରୀଡ ସ୍ଥିରତା ସୁନିଶ୍ଚିତ କରିବା ଏବଂ ଆଧୁନିକ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ବିଦୁ୍ୟତ ବଂଟନକୁ ଅଧିକ କ୍ରିୟାଶୀଳ କରିବା ଆଦି ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହା ସହିତ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ ଏବଂ ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ଗ୍ରୀଡ ସହ ସମନ୍ୱୟ ରକ୍ଷା କରିବାରେ ଏସଏଲଡିସିର କାର୍ଯଧାରା ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା ।
ଏହି ପରିଦର୍ଶନ ସମୟରେ ଓପିଟିସିଏଲ୍ ର ଅଧ୍ୟକ୍ଷ ତଥା ପରିଚାଳନା ନିଦ୍ଧେର୍ଶକ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଏସଏଲଡିସିର ନିର୍ଦ୍ଧେଶକ ଶ୍ରୀ ବି ବି ମେହତାଙ୍କ ସମେତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀଙ୍କ ସୌଜନ୍ୟରୁ
