କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ଶନିଶ୍ଚରଙ୍କ ଜଳାଭିଷେକ

କେନ୍ଦ୍ରାପଡ଼ା, ୦୩/୦୫/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର ମହିପାଳସ୍ଥିତ ବାୟାବଜାରରେ ନ୍ୟାୟ ଦେବତା ପୂଜା କମିଟି ଦ୍ୱାରା ଆୟୋଜିତ ଚର୍ତୁଦଶତମ ଜନ୍ମ ବାର୍ଷିକ ଉପଲକ୍ଷେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ସେହିପରି ସହରର ଗଣାମାହାଲସ୍ଥିତ ବାଲାବାବା ମନ୍ଦିର ପ୍ରାଙ୍ଗଣରେ ଶନିଶ୍ଚର ବିଶ୍ୱଶାନ୍ତି ମହାଯଜ୍ଞ କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଶନିବାର ପ୍ରାତଃରେ ଘଟ ନିମଜ୍ଜନ କରାଯିବା ପରେ ଭକ୍ତମାନେ ଏକ ଶୋଭାଯାତ୍ରାରେ ନୂଆ ବସ୍ ଷ୍ଟାଣ୍ଡ ଶନିଘାଟରୁ କଳସରେ ପାଣି ଆଣି ଘଟସ୍ଥାପନ କରିଥିଲେ । ଏହାପରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞାରମ୍ଭ କରାଯିବା ସହ ରାତିରେ ଯଜ୍ଞ ପୂର୍ଣ୍ଣାହୁତି କରାଯାଇଥିଲା । ସେହିପରି ତିନିମୁହାଣୀ ଶନି ମନ୍ଦିର, ନୂଆ ବସଷ୍ଟାଣ୍ଡ ଶନି ମନ୍ଦିର, କଚେରୀ ଛକ ଶନିମନ୍ଦିର, ଗରାପୁର କାଳିମନ୍ଦିର ପରିସରରେ ଥିବା ଶନି ମନ୍ଦିରରେ ସହର ଓ ସହରଆଖପାଖ ଅଂଚଳରୁ ବହୁ ମାନସିକଧାରୀ ତଥା ଶ୍ରଦ୍ଧାଳୁମାନେ ପହଂଚି ଶନିଶ୍ଚରଙ୍କୁ ଜଳାଭିଷେକ କରିବା ପରେ ଯଜ୍ଞରେ ସାମିଲ ହେଇଥିଲେ । ଏହି ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର ବହୁ ନେତା ଆସି ଶନି ଦେବତାଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *