କବି ଜୟଦେବଙ୍କ ଜିଲାସ୍ତରୀୟ ଜୟନ୍ତୀ ପାଳନ ସମାରୋହ

କେନ୍ଦ୍ରାପଡ଼ା, ୦୧/୦୫/୨୦୨୫(ଓଡ଼ିଶା ସମାଚାର)- ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଜିଲା ସଂସ୍କୃତି ପରିଷଦ, କେନ୍ଦ୍ରାପଡାର ମିଳିତ ଆନୁକୁଲ୍ୟରେ କବି ଜୟଦେବଙ୍କ ଜିଲାସ୍ତରୀୟ ଜୟନ୍ତୀ ପାଳନ ସମାରୋହ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସମାରୋହରେ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ (ସାଧାରଣ) ରବୀନ୍ଦ୍ର କୁମାର ମଲିକ, ଉପ-ଜିଲାପାଳ ଅରୁଣ କୁମାର ନାୟକ, ମୁଖ୍ୟବକ୍ତା ଭାବେ ମୋହନ ଚରଣ ଜେନା ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଜୟଦେବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଆକାଶବାଣୀର ସୁନାମଧନ୍ୟ କଳାକାର କଳାକାର ପଣ୍ଡା ଓ ତାଙ୍କ ସହଯୋଗୀ “ବନ୍ଦେ ଉତ୍କଳ ଜନନୀ” ଓ “ଗୀତ ଗୋବିନ୍ଦ” ସଙ୍ଗୀତ ଗାନ କରିଥିଲେ । ଭକ୍ତିରସର ପ୍ରବାହକୁ ଋଦ୍ଧିମନ୍ତ କରିଥିବା ଓ ଗୀତ ଗୋବିନ୍ଦର ରଚୟିତା ମହାନ କବି ଶ୍ରୀ ଜୟଦେବଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ମୁଖ୍ୟ ଅତିଥି । ଓଡିଆ ସଙ୍ଗୀତ, ଜଗନ୍ନାଥ ସଂସ୍କୃତିକୁ ମହନୀୟ କରିଛି ଗୀତ ଗୋବିନ୍ଦ କାବ୍ୟର ପଦାବଳୀ ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।

ଆସନ୍ତା ପିଢୀକୁ ଏହି ମହାକାବ୍ୟର ରଚୟିତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଶ୍ରୀ ଜୟଦେବଙ୍କ ରଚନା ଶୈଳୀ ଏତେ ଅନନ୍ୟ ଥିଲା ଯେ ତାହା ଓଡ଼ିଶୀ ନୃତ୍ୟ, ସଂଗୀତ ଏବଂ ଚିତ୍ରକଳାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ଜୟଦେବଙ୍କ “ଗୀତ ଗୋବିନ୍ଦ”ରେ ଥିବା ଅଷ୍ଟପଦୀଗୁଡ଼ିକ, ଯେଉଁଥିରେ ବିଭିନ୍ନ ରାଗ ଓ ତାଳର ପ୍ରୟୋଗ ହୋଇଛି, ତାହା ଆଜି ମଧ୍ୟ ଓଡ଼ିଶୀ ନୃତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶାର ଗୌରବ ଜୟଦେବଙ୍କ କୃତିତ୍ୱ କେବଳ ସାହିତ୍ୟ କ୍ଷେତ୍ରରେ ସୀମିତ ନଥିଲା, ତାଙ୍କର ଲେଖନୀ ଯେଉଁଭଳି ଭାବରେ ଭକ୍ତି, ଦର୍ଶନ ଏବଂ ପ୍ରେମର ଦିବ୍ୟ ସ୍ୱରୂପକୁ ଚିତ୍ରଣ କରିଛି, ତାହା ତାଙ୍କୁ ସର୍ବକାଳୀନ ମହାନ କବିମାନଙ୍କ ମଧ୍ୟରେ ସ୍ଥାନ ଦେଇଛି ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଥିଲେ ।

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ କବି ଶ୍ରୀ ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳନ ଆଭିମୁଖ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲା ସଂସ୍କୃତି ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ ସମାରୋହକୁ ଜିଲା ସଂସ୍କୃତି ବିଭାଗର ରାଜକିଶୋର ରାଉତ ପରିଚାଳନା କରିଥିଲେ । ଜିଲାସ୍ତରୀୟ ଅଧିକାରୀ, ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ ଏହି ସମାରୋହ ଅତ୍ୟନ୍ତ ସୌହାର୍ଦ୍ଧ୍ୟ ଓ ଉଦ୍ଧୀପନାର ସହ ପାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *