ମୁଖ୍ୟ ଶାସନ ସଚିବ ଙ୍କ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମୀକ୍ଷା

ପ୍ରସ୍ତୁତି ସୁଦୃଢ କରିବା ସହ ସବୁବେଳେ ସଜାଗ ରହିବାକୁ ପରାମର୍ଶ

ଭୁବନେଶ୍ୱର,୧୭/୦୩/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗତକାଲି ଶ୍ରୀ ରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହାସପାତାଲ ରେ ଘଟିଥିବା ଅଗ୍ନି ଦୁର୍ଘଟଣା ପରେ ଆଜି ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟରେ ଓ ଜିଲ୍ଲାରେ ଥିବା ବିଭିନ୍ନ ଡାକ୍ତରଖାନା ଓ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଏହାକୁ ଅଧିକ ସୁଦୃଢ଼ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।

ଅନୁଷ୍ଠିତ ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡା. ସୁଧାଂଶୁ ଷଡ଼ଙ୍ଗୀ, ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଦି ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ ମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।

ବୈଠକରେ ଆଲୋଚନା ଅନୁସାରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା ଗୁଡିକରେ ଅଗ୍ନି ନିରାପତ୍ତା ସୂଚନା ସଂପର୍କରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି।ଅଗ୍ନିଶମ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯିବା ସହ ଅଗ୍ନି ନିର୍ବାପକ ଉପକରଣ ଗୁଡିକ ସୁଇଚ୍ ଅଫ୍ କରି କାର୍ଯ୍ୟକ୍ଷମ ସ୍ଥିତିରେ ରଖାଯିବାକୁ ପରାମର୍ଶ ଦିଆଯାଇଥିଲା।ନିୟମିତ ଭାବରେ ଉପକରଣ ଗୁଡିକୁ ଯାଂଚ କରିବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ଆବଶ୍ୟକ ସ୍ଥଳେ ତୃତୀୟ ପକ୍ଷ ଅଡିଟ୍ କରାଯିବା ନେଇ ପରାମର୍ଶ ଦିଆଯାଇଛି ।  ଜିଲ୍ଲା ସ୍ତରରେ ଅଗ୍ନି ନିରାପତ୍ତା ସଂପର୍କିତ ମକ ଡ୍ରିଲ ଅଧିକରୁ ଅଧିକ ଆୟୋଜନ କରିବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦିଆଯାଇଛି।ଅଗ୍ନି ନିରାପତ୍ତା କୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ  ପ୍ଲାନ ଅନୁମୋଦନ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି।

 ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଶିଳ୍ପ, ଭିତ୍ତିଭୂମି ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକରିବାକୁ ଯେପରି ଆମେ ଗୁରୁତ୍ୱ ଦେଉଛୁ, ସେହିଭଳି ଅଗ୍ନିନିରାପତ୍ତା କୁ ମଧ୍ୟ ସର୍ବାଧିତ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।ଜୀବନରକ୍ଷା ସବୁଠାରୁ ମୂଲ୍ୟବାନ। ଏହାକୁ ଗୁରୁତ୍ୱ ଦେଇ ସଂପୃକ୍ତ ସମସ୍ତ ବିଭାଗ, ଅଗ୍ନିଶମ ସେବା ଓ ଜିଲ୍ଲାପାଳ ମାନେ ସର୍ବଦା ପ୍ରସ୍ତୁତିକୁ ଅଗ୍ରାଧିକାର ଦେବା ଓ ସମ୍ଭାବ୍ୟ ବିପର୍ଯ୍ୟୟ ପ୍ରତି ସବୁବେଳେ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।

-0-

ପଠାଣି ରାଉତ ,ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

()

Leave a Reply

Your email address will not be published. Required fields are marked *