ବୀରମହାରାଜପୁର,୦୧/୦୫/୨୦୨୫ (ଓଡ଼ିଶା ସମାଚାର)- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ଠାରେ ସେବାୟତ କମିଟିର ବୈଠକ ଏବଂ ରଥ ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ସେବାୟତ ସଂଘର ସଭାପତି ଗୋପାଳ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପରିଚାଳନା କରିଥିଲେ । ବୈଠକରେ ଆସନ୍ତା ରଥଯାତ୍ରା ସମ୍ପର୍କିତ ମହାପ୍ରଭୁଙ୍କ ରୀତିନୀତି ଓ ରଥ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏଥିସହ ଆସନ୍ତା ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୬ରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ, ଜୁନ୍ ୨୭ରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧ରେ ହେରାପଞ୍ଚମୀ, ଜୁଲାଇ ୫ ବାହୁଡ଼ା ଯାତ୍ରା, ଜୁଲାଇ ୭ ଅଧର ପଣା ଏବଂ ଜୁଲାଇ ୮ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ହେବାକୁ ଯଥାରୀତି ଓ ଧୁମଧାମ ସହକାରେ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ସେବାୟତ ସଂଘ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମକୁ କିଭଳି ସରସ ସୁନ୍ଦର ଓ ଶୃଙ୍ଖଳିତ କରିପାରିବ ସେ ଉପରେ ଆଲୋଚନା ହୋଇଥିଲା ।
ସମସ୍ତ ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ କରିବା, ସେବାୟତ ଭବନ ନିର୍ମାଣ, ସେବାୟତଙ୍କ ଗଣବେଶ ପରିଧାନ ,ବିଭାଗୱାରୀ ସେବାୟତମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ସେବାୟତ ବୈଠକ ବସିବା ସହ ରଥ ଅନୁକୂଳ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଆଜି ସର୍ବପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ରଥ ମରାମତି ଓ ସଜ୍ଜିକରଣ କରିବା ପାଇଁ ପୂଜକ ଚିତ୍ତରଞ୍ଜନ ପାଢ଼ୀଙ୍କ ଦ୍ୱାରା ପୂଜାନୀତି ସମ୍ପାଦନ କରାଯାଇଥିଲା ।
ପୂଜାନୀତି ପରେ ବିଶ୍ଵକର୍ମା ସେବାୟତ ମୁଖ୍ୟ ନରେନ୍ଦ୍ର ପଧାନଙ୍କୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗଲାଗି ବସ୍ତ୍ର ପଗଡି ପ୍ରଦାନ କରାଯାଇଥିଲା ଓ ପରେ ରଥ ମରାମତି ଓ ସଜ୍ଜିକରଣ କାର୍ଯ୍ୟ ଅନୁକୂଳ କରାଯାଇଥିଲା । ରଥ ନିର୍ମାଣ କମିଟିର ସଂଯୋଜକ ସତ୍ୟଜିତ ଗଡୁଆ, ସଦସ୍ୟ ଜୈମିନି ନାଏକ, ବୀରମିତ୍ର ପଧାନ, ପ୍ରମୋଦ ପାତ୍ର, ଗଦାଧର ମେଣ୍ଡିଲି ପ୍ରମୁଖ ସହଯୋଗ କରିଥିବାବେଳେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ର, ଟ୍ରଷ୍ଟି ମେମ୍ବର ଜଗଦୀଶ କର୍ଣ୍ଣ, ମହାଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।