ଭୁବନେଶ୍ୱର,୧୪/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜେସିଆଇ ଭୁବନେଶ୍ୱର ପକ୍ଷରୁ ପିଭିଆର୍ ଉତ୍କଳ କନିକା ଗ୍ୟାଲେରିଆ ମଲ ଠାରେ ଓଡ଼ିଆ ଚଳଚ୍ଚିତ୍ ‘ଆଫା’ର ଏକ ବିଶେଷ ଚାରିଟି ପ୍ରଦର୍ଶନ ସଫଳତାର ସହ ଆୟୋଜିତ ହୋଇଛି ।
ଏହି କାର୍ୟକ୍ରମର ଉଦ୍ଦେଶ୍ୟ ଥିଲା କନ୍ୟାଶିଶୁ ସଚେତନତା ଓ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା । ଏହି ଅବସରରେ କମଳା ନେହରୁ ମହାବିଦ୍ୟାଳୟର ୫୦ ଜଣ ଛାତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଥିଲା, ଯାହା ଏହି କାର୍ୟକ୍ରମକୁ ଅଧିକ ସଫଳ କରିଥିଲା ।
ଏହା ସହିତ, ହାଇ-ଟେକ୍ ହସ୍ପିଟାଲ୍, ଭୁବନେଶ୍ୱର ସହଯୋଗରେ ଏକ ଅଙ୍ଗଦାନ ସଚେତନତା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା, ଯାହା ମାଧ୍ୟମରେ ଲୋକମାନଙ୍କୁ ଅଙ୍ଗଦାନର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା ।
ଏହି କାର୍ୟକ୍ରମରେ ଜେସିଆଇର ବରିଷ୍ଠ ସଦସ୍ୟଗଣ ଯଥା ଭି. ଶ୍ରୀନିବାସ, ଦିନେଶ ବିଣ୍ଡାଲ, ପୁନିତ ମିଶ୍ର, ନିଶିଥ ଦାସ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଜେସିଆଇ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଜେସି ଶ୍ରୀନିବାସ ସୁବୁଦ୍ଧି କହିଥିଲେ ଯେ, “ଏହି ପ୍ରୟାସ ଆମ ସାମାଜିକ ଦାୟିତ୍ୱର ପ୍ରତିଫଳନ । ଏହା ମାଧ୍ୟମରେ ଆମେ କନ୍ୟାଶିଶୁ ସଶକ୍ତିକରଣ ଓ ଅଙ୍ଗଦାନର ଗୁରୁତ୍ୱ ବିଷୟରେ ସମାଜକୁ ପ୍ରେରିତ କରିବାକୁ ଚାହୁଁଛୁ।”
ଏହି କାର୍ଯ୍ୟକ୍ରମର ସଫଳତା ଏବଂ ସଦସ୍ୟମାନଙ୍କର ସହୃଦୟ ଅଂଶଗ୍ରହଣ ଏବଂ ସମନ୍ୱୟ ସୁନିଶ୍ଚିତ କରିଥିବାରୁ ଜେସି ଗୌରୀ ସୁବୁଦ୍ଧିଙ୍କୁ ବିଶେଷ କୃତଜ୍ଞତା ଜଣାଯାଇଥିଲା ।
ଏହି ବିଶେଷ ଚାରିଟି ପ୍ରଦର୍ଶନ ବେଳେ ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦ୍ଦେଶକ ପ୍ରୀତିରାଜ ଶତପଥି ଓ ମୁଖ୍ୟ ଅଭିନେତ୍ରୀ ନୈନା ଦାଶ ଯୋଗ ଦେଇ ଜେସିଆଇ ଭୁବନେଶ୍ୱରର ଏହି ଅଭିନବ ପ୍ରୟାସ ନିମନ୍ତେ ନିଜର ସହୃଦୟ କୃତଜ୍ଞତା ଜଣାଇଥିଲେ ।
