ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

ଜଗତସିଂହପୁର, ୨୬/୦୪/୨୦୨୫ (ଓଡ଼ିଶା ସମାଚାର)-  ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହି ସଭାରେ ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ସଭାପତିତ୍ବ କରି ନିଜ ବକ୍ତବ୍ୟ ରେ କହିଲେ ଯେ,ଓଡ଼ିଶା ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ହେବାରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ଅବଦାନ ଚିର ସ୍ମରଣୀୟ,  ସେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକତ୍ରିକରଣ ର ବୀଜ ବୁଣିଥିଲେ  । ତେଣୁ ସମସ୍ତେ ତାଙ୍କର ତ୍ୟାଗ ଓ ତିତିକ୍ଷା ରୁ ଶିକ୍ଷା ଲାଭ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ନିଜ ବକ୍ତବ୍ୟରେ ଅତୀତକୁ ଜାଣିବା ଏବଂ ଅତୀତକୁ ମନେ ପକେଇ ଆଗକୁ ବଢିବାକୁ କହିଥିଲେ । ଅତୀତରେ ଆମ ପୂର୍ବ ପୁରୁଷ ଙ୍କ ବଳିଦାନ ଯୋଗୁଁ ଆମ ଭବିଷ୍ୟତ ଖୁବ ସୁମଧୁର ହେଇଥିବାରୁ ସେମାନଙ୍କ ସ୍ମୃତିଚାରଣ ହେଲେ ତାଙ୍କ ତ୍ୟାଗକୁ ଆମେ ଯଥେଷ୍ଟ ସମ୍ମାନ ଦେଇପାରିବା । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଅନେକ ଜୀବନକୁ ସୃଜନଶୀଳ କରିବାକୁ ପ୍ରୋତ୍ସାହିତ କରି ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି କୁ ଆଗକୁ ବଢେଇବାରେ କର୍ଣ୍ଣଧାର ସାଜିଥିଲା  । ବରପୁତ୍ରଙ୍କ ଜୀବନୀ ଜାଣିବା ରେ କୁଣ୍ଠା ବୋଧ ନ କରିବାକୁ ବର୍ତ୍ତମାନ ର ଯୁବପିଢୀ କୁ ଉପଦେଶ ଦେଇଥିଲେ ।

କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ଭାଷା ବଞ୍ଚେଇବା ପାଇଁ ଲଢେଇ କରିଥିଲେ । କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନରୁ ସାଲିଶ ବିହୀନ ମାନସିକତା କୁ ହଟେଇ ଅନ୍ୟାୟ ବିରୁଦ୍ଧରେ ମୂହଁ ଖୋଲି ଆଗକୁ ବଢିବାକୁ ଶିଖିବା ଦରକାର ବୋଲି ସେ କହିଥିଲେ । ସଭାରେ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ମଧ୍ୟ ତାଙ୍କ ଅଭିଭାଷଣ ରେ ପାରଳା ମହାରାଜା ଙ୍କ ଓଡ଼ିଶା ଗଠନର ସଂଗ୍ରାମ ଓ ତାଙ୍କ ଅବଦାନ ବ୍ୟକ୍ତ କରିଥିଲେ। ଜଣେ ସୁଦକ୍ଷ ପ୍ରଜା ବତ୍ସଲ ରାଜା ଙ୍କର ପ୍ରତ୍ୟେକ ଟି ଗୁଣ ତାଙ୍କ ପାଖରେ ଭରି ରହିଥିଲା।ସଭାରେ ଅନ୍ୟ ମାନଙ୍କ ମଧ୍ୟରେ  ତହସିଲଦାର,ବିରିଡ଼ି, ଶ୍ରୀ ସଞ୍ଜୟ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତି ପ୍ରତିଚୀ ତନୟା ମହାନ୍ତି ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ନିର୍ବାହୀ ଅଧିକାରୀ, ପୌର ପରିଷଦ, ଜଗତସିଂହପୁର ଶ୍ରୀମତୀ ସୀମା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ  ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ,ସହର ର ବୁଦ୍ଧିଜୀବି, ଆଇନଜୀବି,ମିଶନ ଶକ୍ତି ର ମହିଳା ମାନେ, ଗଣ ମାଧ୍ୟମ ପ୍ରତିନିଧି, ସ୍ଵଚ୍ଛ ସାଥୀ, ସୁପର ଭାଇଜର ପ୍ରମୁଖ ଉପସ୍ଥିତ ଥିଲେ  । ସଭା ପୂର୍ବରୁ ସହର ରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରା ଯାଇଥିଲା।

Leave a Reply

Your email address will not be published. Required fields are marked *