ଯାଜପୁର ଠାରେ ଆଗାମୀ କାଳୀ ପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ନିମନ୍ତେ ୨ୟ ପ୍ରସ୍ତୁତି ବୈଠକ।

ଯାଜପୁର,୧୭/୧୦/୨୦୨୫ (ଓଡ଼ିଶା ସମାଚାର)-କାଳୀପୂଜା ଯାଜପୁର ଜିଲ୍ଲାରେ ଏକ ଗଣ ପର୍ବ ହୋଇଥିବାରୁ ଏହାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା  ନିମନ୍ତେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ  ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ୨ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି I ଚଳିତ ବର୍ଷ ଗଣପର୍ବ କାଳୀପୂଜା କୁ ଶାନ୍ତି, ମୈତ୍ରୀ, ସଂପ୍ରିତି, ଭାଇଚାରା ଓ ସୌହାର୍ଦ୍ୟପୂର୍ଣ୍ଣ ଶୃଙ୍ଖଳା ବାତାବରଣ ମଧ୍ୟରେ ପୂଜା ଓ  ଭସାଣି କୁ ସମାପନ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ କର  ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ମାନଙ୍କ ସହଯୋଗ କାମନା କରିଥିଲେ ।

ଉକ୍ତ  ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର କହିଲେ କାଳୀପୂଜା ହେଉଛି ଯାଜପୁର ର ଏକ ସାମୁଦାୟିକ ଓ ସାମ୍ପ୍ରଦାୟିକ ଉତ୍ସବ । ଏହି ଉତ୍ସବ ମାଧ୍ୟମରେ ଶାନ୍ତି, ସମ୍ମିଳନ ଓ ଭାଇଚାରା ବାର୍ତ୍ତା ପ୍ରସାରିତ ହେବା ଆବଶ୍ୟକ । ସେଥିପାଇଁ ସମସ୍ତ ବିଭାଗ ଓ ପୂଜା କମିଟିମାନେ ମିଶି ଯାଜପୁର ଜିଲ୍ଲାକୁ ଏକ ଆଦର୍ଶ ଉଦାହରଣ ଭାବେ ପ୍ରସ୍ତୁତ କରିବା ଉଚିତ। ଏହି ପୂଜାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଦର୍ଶନାର୍ଥୀମାନେ ଯୋଗଦେଇଥାନ୍ତି । ଏହି ପରିସ୍ଥିତିରେ ସମସ୍ତ ବିଭାଗ ମିଶି ସମନ୍ୱୟରେ କାମ କଲେ ସୁଚାରୁ ଭାବରେ ପୂଜା ପାଳନ ସମ୍ଭବ ହେବ। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ ଯୋଗଦେଇ କହିଲେ  ସହରର ମୁଖ୍ୟ ମାର୍ଗ ଓ ପୂଜା ପେଣ୍ଡାଲ, ପାର୍କିଙ୍ଗ ସ୍ଥଳରେ ରେ ବିଶେଷ ପୋଲିସ ଫୋର୍ସ ନିୟୋଜିତ ହେବେ ।

ଯାତାୟାତ ବ୍ୟବସ୍ଥା ସୁଚାରୁ ରହି ପାରିବା ପାଇଁ ବିଶେଷ ଟ୍ରାଫିକ ରୂଟ ଚାର୍ଟ ତିଆରି କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରତି ପ୍ରଧାନ ପେଣ୍ଡାଲରେ ଅଗ୍ନିନିରୋଧକ ଯନ୍ତ୍ର ଓ ସଚେତନ ଦଳ କାର୍ଯ୍ୟରତ ରହିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ, ମେଡିକାଲ ଟିମ୍ ଓ ପ୍ରଥମିକ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖାଯିବ । ନଗରପାଳିକା ପକ୍ଷରୁ ପରିସ୍କାର ପରିଚ୍ଛନ୍ନତା ଓ ନିଷ୍କାସନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉପରେ ଶ୍ରୀ କର ଗୁରୁତ୍ୱାରୋପ କରିଥିଲେ। ପାଣି ଟ୍ୟାଙ୍କର ଆଲୋକସଜ୍ଜା ପାଇଁ ବିଦ୍ୟୁତ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଉକ୍ତ ବୈଠକରେ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ଶ୍ରୀ ଶିତିକଣ୍ଠ କାନୁନଗୋ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ପୁଷ୍ପଲତା ବାରିକ, ଉପ ଜିଲ୍ଲାପାଳ ଶ୍ରୀ ତାପସ ରଂଜନ ଦେହୁରୀ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ଡ଼ିଏସପି ଟାଉନ ଥାନା ଶ୍ରୀ ଶରତ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ବୈଠକରେ ଟ୍ରାଫିକ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ସରବରାହ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ମାଦକ ଦ୍ରବ୍ୟ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପୂଜା ମଣ୍ଡପ ସାଜସଜ୍ଜା, ସ୍ଵାସ୍ଥ୍ୟ ସୁରକ୍ଷା, ପାନୀୟ ଜଳ ଯୋଗାଣ, ଭସାଣି ଓ ବିସର୍ଜନ ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଏହି ସଭାରେ ବିଭିନ୍ନ ବିଭାଗର ଅଧିକାରୀମାନେ, ପୋଲିସ ବିଭାଗ, ନଗରପାଳିକା, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସହ ଜିଲ୍ଲାର ବିଭିନ୍ନ ପୂଜା କମିଟି କର୍ମକତା, ଶାନ୍ତି କମିଟି ସଦସ୍ୟ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।ଶେଷରେ ଉପଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *