ଅନିୟମିତତା ଅଭିଯୋଗରେ ସବ୍‌ରେଜିଷ୍ଟ୍ରାର ନିଲମ୍ବିତ

ଭୁବନେଶ୍ୱର, ୭/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଜମି ବିକ୍ରିରେ ବେଆଇନ୍‌ କାରବାର ନେଇ ଜଗତପୁରରେ କାର୍ଯ୍ୟରତ ସବ୍‌ରେଜିଷ୍ଟ୍ରାର୍‌ ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୁଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ସାମନ୍ତରାୟ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

          ସେହିପରି ସବ୍‌ରେଜିଷ୍ଟ୍ରାର୍‌ ଦାୟିତ୍ୱରେ ଥିବା ପିପିଲିର ଅତିରିକ୍ତ ତହସିଲଦାର ନବକିଶୋର ପାତ୍ର ଜମିଜମା ରେଜିଷ୍ଟ୍ରେସନ୍‌ରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୁଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଶ୍ରୀ ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ଏହା ସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ବୋଲି ନିଲମ୍ବନ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

          ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ନିବନ୍ଧନ ସେବାର ସମୀକ୍ଷା ଅବସରରେ ସେବା ପ୍ରଦାନରେ ସ୍ୱଚ୍ଛତା ଓ ସମ୍ମାନର ସହ ସେବା ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ କାର୍ଯ୍ୟରେ ଖିଲାପ କରୁଥିବା ନିବନ୍ଧନ ବା ଉପ-ନିବନ୍ଧନ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *