ନିମାପଡା,୨୫/୦୪/୨୦୨୫ (ଓଡ଼ିଶା ସମାଚାର)-ଜାମ୍ମୁ-କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଘଟଣାକୁ ବିରୋଧ କରି ବିଶ୍ବ ହିନ୍ଦୁପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ସମଗ୍ର ଦେଶରେ ଆଜି ପ୍ରତିବାଦ କରାଯାଉଥିବା ବେଳେ ନିମାପଡାରେ ମଧ୍ୟ ବିକ୍ଷୋଭ ଦେଖିବାକୁ ମିଳିଛି।
କାର୍ଯ୍ୟକ୍ରମରେ ବିଶ୍ବ ହିନ୍ଦୁ ପରିଷଦ ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଯୋଗ ଦେଇ କହିଛନ୍ତି ଯେ ନିମାପଡା ଭଳି ଶାନ୍ତିପ୍ରିୟ ଜାଗାରେ ବହୁତ ବାଂଲାଦେଶୀ ଅନୁପ୍ରବେଶକାରୀ ମାନେ ଛଦ୍ମ ବେଶରେ ରହି ମିସ୍ତ୍ରୀ, ମହାରଣା ଇତ୍ୟାଦି ବିଭିନ୍ନ ନାମରେ ଆମ ଅଞ୍ଚଳରେ ରହୁଛନ୍ତି ।
ସେମାନଙ୍କ ଆଧାର କାର୍ଡ ତୁରନ୍ତ ପରୀକ୍ଷା ହେବା ଆବଶ୍ୟକ । ପ୍ରଶାସନ ଏଥିପ୍ରତି ଯତ୍ନବାନ ହେବା ଉଚିତ। ନିମାପଡ଼ା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଶତାଧିକ କର୍ମୀ ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଡ଼ବଜାର ଅତିକ୍ରମ କରି ତହସିଲ ଅଫିସ ନିକଟରେ ପହଞ୍ଚିଥିଲେ। ଅଫିସ ସମ୍ମୁଖରେ ମହମ୍ମଦ ଜୀନା ଫଟୋ ଏବଂ କୁଶପୁତ୍ତଳିକା ଦାହ କରିଥିଲେ।
ପାକିସ୍ତାନୀ ପତାକାକୁ ତଳେ ପକାଇ ଗୋଇଠା ମାରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ଉପଖଣ୍ଡ ସଭାପତି ସିମନ୍ତ ଶେଖର ରଥ, ଖଣ୍ଡ କାର୍ଯ୍ୟବାହ ଭାଗିରଥି ଓଝା, ବଜରଙ୍ଗ ଦଳ ଜିଲ୍ଲା ସମ୍ପର୍କ ପ୍ରମୁଖ ରଞ୍ଜନ ନାୟକ, ସଂଯୋଜକ ରଞ୍ଜନ ପ୍ରଧାନ, ସଭ୍ୟ ନିହାର ମହାରଣା, ଜ୍ୟୋତି ଛୋଟରାୟ, ତପନ ପ୍ରଧାନ, ଶରତ ସେନାପତି,ଅମୁଲ୍ୟ ଦାଶ,ଶୁଭ୍ରକାନ୍ତ ପଟ୍ଟନାୟକ, ଶରତ ମିଶ୍ର ପ୍ରମୁଖ ଶୋଭାଯାତ୍ରାରେ ଯୋଗଦେଇ ପ୍ରତିବାଦ କରିଥିଲେ।
