ମାହାଙ୍ଗା,୧୮/୦୪/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗା ବ୍ଲକ ଆନନ୍ଦ ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠାନର ତ୍ରୟୋଦଶ ବାର୍ଷିକ ଉତ୍ସବ ପ୍ରଧାନ ଆଚାର୍ଯ୍ୟ ଶାନ୍ତିଲତା ଦେବୀଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାମନ୍ଦିର ଚେୟାରମ୍ୟାନ ବିଶିଷ୍ଟ ସମାଜସେବୀ ଡକ୍ଟର ପ୍ରଭାତ କୁମାର ମିଶ୍ର ଉତ୍ସବକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ । ବିଦ୍ୟାର୍ଥୀ ମାନଙ୍କ ହୃଦୟରେ ରାଷ୍ଟ୍ରୀୟ ଭାବନା ଏବଂ ଆଧ୍ୟାତ୍ମିକ ଚେତନା ଜାଗ୍ରତ ପାଇଁ ସରସ୍ବତୀ ଶିଶୁମନ୍ଦିରର ଗୁରୁମା ଓ ଗୁରୁଜୀ ମାନଙ୍କ ନୀତିନିଷ୍ଠ ପ୍ରଚେଷ୍ଠାକୁ ଡକ୍ଟର ମିଶ୍ର ପ୍ରଶଂସା କରିଥିଲେ ।
ଉତ୍ସବରେ ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷୟିତ୍ରୀ ଡକ୍ଟର ମାନସୀ ମିଶ୍ର ଯୋଗଦେଇ ଗୁଣାତ୍ମକ ଶିକ୍ଷାଦାନ ସହିତ ଛାତ୍ର-ଛାତ୍ରୀଙ୍କ ନୈତିକ ଏବଂ ବୌଦ୍ଧିକ ବିକାଶ ପ୍ରତି ଯତ୍ନଶୀଳ ହେବାକୁ ଆହ୍ୱାନ ଦେଇଥିଲେ ।
ଉତ୍ସବରେ ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ କ୍ଷୀରୋଦ ଚନ୍ଦ୍ର ପତି ଯୋଗଦେଇଥିଲେ । ବରିଷ୍ଠ ସାମ୍ବାଦିକ ତଥା ସୁସାହିତ୍ୟିକ ଅଖିଳେଶ ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ମାହାଙ୍ଗା ମାଟିର ଗୌରବଜ୍ଵଳ ଇତିହାସ ଏବଂ ଅସ୍ମିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତାଭାବେ କଇଥା ପଞ୍ଚାୟତର ସରପଞ୍ଚ ଶୈଳବାଳା ବେହେରା ଯୋଗଦେଇଥିଲେ । ବିଦ୍ୟାମନ୍ଦିର ସମ୍ପାଦକ ଦେବେନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ସନ୍ତୋଷ ସିଂ, ମହାସଚିବ ସଂଜୀବ ମହାନ୍ତି,ଗୁରୁମା ମମତା ମହାନ୍ତି, ଟୁପସୀ ଦାସ, ସରୋଜିନୀ ସାହୁ, ମମିତା ରାଉତ, ରୂପଶ୍ରୀ ସାହୁ, ରୂପଶ୍ରୀ ବରାଳ, ସ୍ନେହଲତା ସେଠୀ, କଳ୍ପନା ଦାସ, ବୈଶାଖୀ ରାଉତ ପ୍ରମୁଖ ଉତ୍ସବ ପରିଚାଳନା କରିବା ଦେଖିବାକୁ ମିଳିଥିଲା । ଅଭିନନ୍ଦନ ମହାନ୍ତି ମଞ୍ଚ ସଂଚାଳନ କରିଥିଲେ ।
ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜ୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ସଂଗୀତ, ଅଭିନୟ ପରିବେଷଣ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ର-ଛାତ୍ରୀ ତଥା ସ୍ଥାନୀୟ ଅଂଚଳର ବହୁ ସାଧାରଣ ଜନତା ଉପସ୍ଥିତ ଥିଲେ ।
