କଟକ ସଦର,୩୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ବୁଧବାର ରାତିରେ କଟକ ଓଏମପି ସ୍ଥିତ ୬ଷ୍ଠ ବାଟାଲିୟନ କ୍ୟାମ୍ପସ ପରିସରରେ ପୁଲିସ୍ କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୭ ପୋଲିସ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡିଛି। ପ୍ରକାଶ ଯେ କ୍ୟାମ୍ପସ ପରିସରରେ ଥିବା ଏକ ପୋଖରୀ ହୁଡ଼ାରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ ଦୁଇଜଣ ଯୁବକ ଯୁବତୀ ଆପତ୍ତିଜନକ ଅବସ୍ଥାରେ ଥିଲେ।
ଏହା ଜାଣିବା ପରେ ସୁରକ୍ଷା ଦୃଷ୍ଟିରୁ ଯୁବକ ଯୁବତୀଙ୍କୁ ଜନୈକ ହାବିଲଦାର କଣ୍ଟ୍ରୋଲ ରୁମ୍ କୁ ନେଇଥିଲେ। ସେଠାରେ ଯୁବକ ଜଣକ କୈ।ଶଳ କ୍ରମେ ତାଙ୍କର ସାଙ୍ଗମାନଙ୍କୁ ଫୋନ୍ କରି ନୂଆପଡ଼ା ରୁ ଡକାଇଥିଲେ। ସମ୍ପୃକ୍ତ ଯୁବକ ମାନେ କ୍ୟାମ୍ପସ ଭିତରେ ପଶି ପୁଲିସମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ଆତଙ୍କରାଜ ଚଳାଇଥିଲେ। କ୍ୟାମ୍ପସ ଭିତରେ ଶହଶହ ସଂଖ୍ୟାରେ ସଶସ୍ତ୍ର ପୋଲିସ ବାହିନୀ ଥିବାବେଳେ ସେମାନେ ଆକ୍ରମଣ ସମୟରେ ପହଞ୍ଚି ନଥିବା ଜଣାପଡ଼ିଛି।
ହେଲେ ଯେଉଁମାନେ ଥିଲେ ସେମାନେ ଆକ୍ରମଣକାରୀଙ୍କୁ ସାମ୍ନା କରିପାରି ନଥିବା ଜଣାପଡ଼ିଛି। ଖଵର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ୫ ଜଣ ଆକ୍ରମଣକାରୀ ଙ୍କୁ କାବୁ କରି ଥାନାକୁ ନେଇ ଯାଇଥିଲେ। ଆଜି ଗୁରୁବାର ଦିନ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ହେଲେ ସୁରକ୍ଷା ପାଇଁ ଥିବା ସୁରକ୍ଷା କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ଭେଦ କରି ବାହାର ଲୋକ ଆକ୍ରମଣ କରିବା ଏବଂ ଆପତ୍ତିଜନକ କାର୍ଯ୍ୟକଳାପ କରିବା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
