ଓଡ଼ିଶା ସବୁଜ ଶକ୍ତି ପ୍ରକଳ୍ପରେ ୪୫୦୦ କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଆପୋଲ ଗ୍ରୀନ ଏନର୍ଜି ଲିମିଟେଡ଼

ସବୁଜ ଓଡ଼ିଶା ଲକ୍ଷ୍ୟ ପୂରଣ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ- ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ

ଭୁବନେଶ୍ୱର,୧୭/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆପୋଲ ଗ୍ରୀନ ଏନର୍ଜି ଲିମିଟେଡ଼ କମ୍ପାନୀ ଦ୍ୱାରା ଓଡ଼ିଶାରେ ସୌର ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ନିମନ୍ତେ  ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଓ ସବୁଜ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ପ୍ରତିଶ୍ରୁତିବଦ୍ଧ । ଓଡ଼ିଶାର ସବୁଜ ଶକ୍ତି ଲକ୍ଷ୍ୟ ହାସଲ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ଆପୋଲ ଗ୍ରୀନ ଏନର୍ଜି ସମ୍ପ୍ରତି ଓଡ଼ିଶାର ଗଂଜାମ ଜିଲ୍ଲାରେ ୫୪ମେଗାୱାଟ ବିଶିଷ୍ଟ ୧୫୧ କୋଟି ଟଙ୍କାର ସୌର ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ସେହିପରି ଓଡ଼ିଶାର ଅନ୍ୟ ଜାଗାରେ ମଧ୍ୟ ଗ୍ରୀନ ଏନର୍ଜି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଗ୍ରହୀ । ସମୁଦାୟ ୧୦୦୦ ମେଗାୱାଟର ଗ୍ରୀନ ଏନର୍ଜି ପ୍ରକଳ୍ପ ନିମନ୍ତେ ୪୫୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

 ଏହା ଦ୍ୱାରା ସୌରବିଦ୍ୟୁତ ଉତ୍ପାଦନ ହେବା ସଂଗେ ସଂଗେ ୩୦୦୦ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇବେ । ଆବଶ୍ୟକ ଅନୁଯାୟୀ ବିଦ୍ୟୁତ ବ୍ୟବହାର ପରେ ବଳକା ବିଦ୍ୟୁତ ବ୍ୟାଟେରୀ ଦ୍ୱାରା ଷ୍ଟୋର କରି ରଖିବା ସୁବିଧା ମଧ୍ୟ ଏହି ପ୍ରକଳ୍ପରେ ଉପଲବ୍ଧ ହେବ । ଏଥିପାଇଁ ସରକାରଙ୍କ ଠାରୁ ଆବଶ୍ୟକ ସହଯୋଗ କାମନା କରିଥିଲେ ।

ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓପିଟିସିଏଲ ସିଏମଡି ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଗ୍ରୀଡକୋ ଏମଡ଼ି ଶ୍ରୀ ତ୍ରିଲୋଚନ ପଣ୍ଡା, ଆପୋଲ ଗ୍ରୀନ ଏନର୍ଜି ଲିମିଟେଡ଼ ସିଇଓ ଶ୍ରୀ ସଞ୍ଜୟ ଗୁପ୍ତା, ପ୍ରେସିଡେଣ୍ଟ ଶ୍ରୀ ରାକେଶ ଗୁପ୍ତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

-0-

ସୁଶ୍ରୀ ସଙ୍ଗୀତା ମହାରଣା,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *