ସାମ୍ବାଦିକଙ୍କୁ ସୁରକ୍ଷା, ସମ୍ମାନ ଓ ପେନସନ ଦାବି
ଭୁବନ,୧୯/୦୭/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଢେ଼ଙ୍କାନାଳ ଜିଲ୍ଲା ଶାଖା ତରଫରୁ ଭୁବନ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ବନ୍ଧୁ ମିଳନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ,କେବଳ ବିଜ୍ଞାପନ ପାଇଁ ମେନଷ୍ଟ୍ରିମ୍ ମିଡିଆ ସରକାରଙ୍କ ଦୋଷ ଦୁର୍ବଳତାକୁ ଘଣ୍ଟ ଘୋଡ଼ାଇବା ସହ ଭିନ୍ନ ଢଙ୍ଗରେ ସଫଳତା ପ୍ରଚାର କରୁଥିବା ବେଳେ ସୋସିଆଲ ମିଡିଆ ଓ ଡିଜିଟାଲ ମିଡିଆ ସରକାରଙ୍କ ଦୋଷତ୍ରୁଟି ଓ ଭୁଲ୍ ନିଷ୍ପତ୍ତିକୁ ସମାଲୋଚନା କରି ଲୋକଙ୍କ ନିକଟରେ ପହଞ୍ଚାଇ ଦିନକୁ ଦିନ ଗ୍ରହଣୀୟ ହେଉଛି ।
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଅନ୍ୟ ମାନଙ୍କ ଠାରୁ ଭିନ୍ନ ,ସ୍ୱତନ୍ତ୍ର ଓ ନିଆରା ସଂଗଠନ । ଏଥିରେ ସଦସ୍ୟ ହେବା ମାତ୍ରେ ଆଇ କାର୍ଡ, ସାର୍ଟିଫିକେଟ ସହିତ ୧ ଲକ୍ଷ ଟଙ୍କା ବୀମା ଭୂକ୍ତ ହେଉଥିବାରୁ ଖୁବ୍ କମ୍ ଦିନରେ ସଦସ୍ୟ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି ବୋଲି ଶ୍ରୀଯୁକ୍ତ ପୋଥାଳ ସୂଚନା ଦେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଓ ଡି ଏମ୍ ମହାସଂଘ ରାଜ୍ୟ ସମ୍ପାଦକ ସଦାଶିବ ମହାପାତ୍ର ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।
ସାମ୍ବାଦିକ ମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ସାମାଜିକ ସୁରକ୍ଷା,ସମ୍ମାନ ଓ ପେନସନ ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ଓ କର୍ତ୍ତବ୍ୟ। ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ଆଇନ ପ୍ରଣୟନ,ମାସିକ ଭତ୍ତା ପ୍ରଦାନ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ସୁବିଧା,ଅସାମାଜିକ ବ୍ୟକ୍ତି/ଦୁର୍ବୁତ୍ତ ଙ୍କ ଦ୍ଵାରା ଆକ୍ରମଣ ଘଟଣାରେ ତ୍ୱରିତ ଆଇନଗତ ପଦକ୍ଷେପ ,ସାମ୍ବାଦିକ କଲ୍ୟାଣ ପାଣ୍ଠିର ସୁଦୃଢ଼ିକରଣ,ଗ୍ରାମାଞ୍ଚଳ ସାମ୍ବାଦିକଙ୍କୁ ସମ୍ମାନ ସୁବିଧା ସୁଯୋଗ ପ୍ରଦାନ ପାଇଁ ଶ୍ରୀଯୁକ୍ତ ମହାପାତ୍ର ମତବ୍ୟକ୍ତ କରିଥିଲେ। ଏ ସମ୍ପର୍କରେ ଆଗାମୀ ଦିନରେ ଓ ଡି ଏମ୍ ଢେ଼ଙ୍କାନାଳ ଶାଖା ତରଫରୁ ଉପରୋକ୍ତ ନ୍ୟାୟ ସଙ୍ଗତ ଦାବି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳ ଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ମହାନ୍ତି ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପରବର୍ତ୍ତୀ ବୈଠକ ଗନ୍ଦିଆ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ସରୋଜ କୁମାର ମହାଳିକ,ବିଶ୍ୱ ରଞ୍ଜନ ହାତୀ, ଯୁଗ୍ମ ସମ୍ପାଦକ ଅଭିଜିତ୍ ମହାପାତ୍ର,ରାକେଶ ରଞ୍ଜନ ପଟ୍ଟନାୟକ,ସଂଗଠନ ସମ୍ପାଦକ ଦେବାଶିଷ ବାରିକ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ପୋଥାଳ,ଦେବାନନ୍ଦ ସାହୁ,ବୁଦ୍ଧଦେବ ପଣ୍ଡା,ସୁଦର୍ଶନ ପୁହାଣ,ବିନୟ କୁମାର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଏହି ଅବସରରେ ଓଡ଼ିଶା ଡ୍ରାଇଭର ମହାସଂଘ ଭୁବନ ବ୍ଲକ ର କର୍ମକର୍ତ୍ତା ନନ୍ଦ କିଶୋର ସାହୁ,ନାରାୟଣ ଧୀର,ଶିବରାମ ସାହୁ,ସନ୍ତୋଷ ପଟ୍ଟନାୟକ,ରାକେଶ କାଣ୍ଡି ପ୍ରମୁଖ ସେମାନଙ୍କର ବିଭିନ୍ନ ସମସ୍ୟା ଗଣମାଧ୍ୟମ ଜରିଆରେ ସରକାରଙ୍କ ନିକଟରେ ପହଞ୍ଚାଇ ସମାଧାନ କରିବାକୁ ନିବେଦନ କରିଥିଲେ।
