କେନ୍ଦ୍ରାପଡ଼ା,୨୩/୦୯/୨୦୨୬ (ଓଡ଼ିଶା ସମାଚାର)- ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ସମୀର ଟିଭିଏସର ନିର୍ଦେଶକ ସମୀର କୁମାର ଚାନ୍ଦଙ୍କୁ ଶ୍ରେଷ୍ଠ ଗ୍ରାହକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲା ସ୍ତରୀୟ ପରାମର୍ଶଦାତା କମିଟି ବୈଠକରେ ଜିଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଚାନ୍ଦଙ୍କୁ ପୁଷ୍ପଗୁଛ, ଉପଢୈାକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।
ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ରମାକାନ୍ତ ମାଝୀ ଯୋଗଦେଇ ଷ୍ଟେଟବ୍ୟାଙ୍କର ଶ୍ରେଷ୍ଠ ଗ୍ରାହକ ଶ୍ରୀ ଚାନ୍ଦଙ୍କ ବ୍ୟବସାୟୀକ ବୁଦ୍ଧିମତା, ଉତମ ବ୍ୟବହାର ଓ ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣନା କରିଥିଲେ ।
ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକ ଅର୍କଜ୍ୟୋତି ଭଟ୍ଟାଚାର୍ଯ୍ୟ ଯୋଗଦେଇ ଶ୍ରୀ ଚାନ୍ଦଙ୍କ ବ୍ୟବସାୟିକ କଳାକୌଶଳ, ଶତାଧିକ କର୍ମଚାରୀଙ୍କୁ ଗୋଟିଏ ସୁତ୍ରରେ ବାନ୍ଧି ରଖିବା ଏବଂ ଗ୍ରାହକମାନଙ୍କୁ ଉତମ ସେବା ପ୍ରଦାନ ଯୋଗୁଁ ଦିନକୁ ଦିନ ତାଙ୍କ ବ୍ୟବସାୟର ଅଭିବୃଦ୍ଧି ହୋଇଚାଲିଥିବା କହିଥିଲେ । ସବୁ ଦୃଷ୍ଟିରୁ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ଜଣେ ଶ୍ରେଷ୍ଠ ଗ୍ରାହକ ଭାବରେ ଶ୍ରୀ ଚାନ୍ଦଙ୍କୁ ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଶ୍ରୀ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଏହି ବୈଠକରେ ଜିଲାର ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ଓ ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
