ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ପୁଣି ଗର୍ଜିଲା ବନ୍ଧୁକ
ଖଜୁରିଆକଟା,୦୪/୦୪/୨୦୨୫ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀରେ କିଛିଦିନ ବ୍ୟବଧାନରେ ପୁଣି ଗର୍ଜିଛି ବନ୍ଧୁକ । ହତ୍ୟାର ଶିକାରହୋଇଛି ଜଣେ ଯୁବକ। ଖବରରୁ ପ୍ରକାଶ ଗତକାଲି ରାତିରେ ରସୋଳଥାନା କଦଳିପାଳ ଗାଁ’ର ରାମ ନାଏକଙ୍କ ପୁଅ ବାବୁଲା ନାଏକ(୪୦)ଙ୍କୁ ରସୋଳଥାନା କଦଳିପାଳ ଗାଁର ମହେଶ୍ୱର ନାଏକଙ୍କ ପୁଅ ପ୍ରଶାନ୍ତ ନାଏକ,କଦଳିପାଳର ବାଇଧର ନାଏକର ପୁଅ ସନ୍ତୋଷ ନାଏକ(୪୮),ସଦରଥାନା କୁତ୍ତମ ଅଞ୍ଚଳର ନରେଶ ସ୍ୱାଇଁ(୪୫),ସଦରଥାନା କୁତ୍ତମର ରତ୍ନାକର ଦେହୁରୀ ପୁଅ ଦଣ୍ଡଧର ଦେହୁରୀ(୪୫) ଓ ନିଧି ଛତରଙ୍କ ପୁଅ ପରମାନନ୍ଦ ଛତର(୬୨) ଦେଶୀ ବନ୍ଧୁକସହ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ରାତି ୧୦ଟାରେ ଶିକାର କରିବା ପାଇଁ କହି ଡାକିନେଇଥିଲେ। ମାତ୍ର ଜଙ୍ଗଲରେ ପ୍ରଶାନ୍ତ ନାଏକ ଧରିଥିବା ବନ୍ଧୁକରୁ ଗୁଳି କରିବାରୁ ବାବୁଲା ନାଏକ ମୃତ୍ୟୁବରଣ କରିଥିଲେ ।
ଘଟଣା ସମ୍ପର୍କରେ ଆଜି ସକାଳେ ଜଣାପଡିବାରୁ ସେମାନଙ୍କ ସହ ଯାଇଥିବା ବ୍ୟକ୍ତିମାନେ ପ୍ରଶାନ୍ତ ନାଏକର ଗୁଳିମାଡ଼ରେ ବାବୁଲା ପ୍ରାଣ ହରାଇଥିବା ପ୍ରକାଶ କରିଥିଲେ। ହିନ୍ଦୋଳ ଏସଡିପିଓ ସତ୍ୟକୁମାର ନନ୍ଦ ସ୍ୱତନ୍ତ୍ରଭାବରେ ତଦନ୍ତକରି ରସୋଳ ପୋଲିସ ଘଟଣାସ୍ଥଳରୁ ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାସହ ଅଭିଯୁକ୍ତ ସନ୍ତୋଷ ନାଏକ, ପ୍ରଶାନ୍ତ ନାଏକ, ନରେଶ ସ୍ୱାଇଁ,ଦଣ୍ଡଧର ଦେହୁରୀ,ପରମାନନ୍ଦ ଛତରଙ୍କୁ ଗିରଫ କରି ମୋଟ ୫ଜଣଙ୍କୁ ରସୋଳଥାନା କେଶନଂ-୯୫/୪. ୪. ୨୫ଇଉ/ଏସ, ୧୦୩(୧)/୩(୫)ବିଏନଏସ ଆର/ଡବ୍ଲୁ ସେକ୍ସନ ୨୫/୨୭ ଅଫ ଆର୍ମସଆକ୍ଟ ସେକ୍ସନ ୧୦୫/୫୧/୩(୫),ବିଏନଏସ-୨୦୨୩ଆର/ଡବ୍ଲୁ ୨୫/୨୭ଅଫ ଆର୍ମଡ଼ ଆକ୍ଟ ୫୨ବନ୍ୟଜନ୍ତୁ ନିରୋଧଆକ୍ଟ ୧୯୭୨ରେ କୋର୍ଟ ଚାଲାଣ କରି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି।
ତେବେ ମୃତକ ବାବୁଲାର ସ୍ତ୍ରୀ ଝିଲ୍ଲୀ ନାଏକ ଓ ସମ୍ପର୍କୀୟ ଭାଇ ହେମନ୍ତ ନାଇକଙ୍କ କହିବା ଅନୁଯାଇ ମୃତ ବାବୁଲାର ଅଭିଯୁକ୍ତ ସନ୍ତୋଷ ସହ ଛେଳିଚୋରୀକୁ ନେଇ ଆଗରୁ ବିବାଦ ଥିଲା ଓ ସନ୍ତୋଷ ନାଏକ ସବୁବେଳେ ବାବୁଲାକୁ ଧମକ ଚମକ ଦେଇଆସୁଥିଲା । ସେଥିପାଇଁ ସନ୍ତୋଷ ଡ଼ାକିନେଇ ଗୁଳିକରୀ ବାବୁଲାକୁ ହତ୍ୟା କରିଛି।
