ଜଗତସିଂହପୁର, ୧୪/୦୪/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଫୁଟବଲ ଆସୋସିଏସନ୍ ର ମିଳିତ ଆନୁକୂଲ୍ୟରେ ରାଜ୍ୟର କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ସାମଗ୍ରିକ ବିକାଶ ତଥା ତୃଣମୂଳ ସ୍ତରରେ କ୍ରୀଡ଼ାବିତମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ କ୍ରୀଡ଼ା ପ୍ରତିଭା ବିକାଶ କରିବା ନିମନ୍ତେ ୧୫ ବର୍ଷରୁ କମ୍ କ୍ରୀଡ଼ାବିତ୍ ବର୍ଗ ପାଇଁ (ଅଣ୍ଡର-୧୫ କ୍ୟାଟାଗୋରିରେ) ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ ଅନୁଷ୍ଠିତ ହେଉଛି।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ରିଜର୍ଭ ପୋଲିସ ଗ୍ରାଉଣ୍ଡ, ପୁନଙ୍ଗ ଠାରେ ଗତ ୭ ଏପ୍ରିଲ ଠାରୁ ଚାଲିଥିବା ସି ଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ୍ ଆଜି ଉଦଯାପିତ ହୋଇଯାଇଛି। ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡା ଓ କ୍ରୀଡାବିତ୍ ମାନଙ୍କ ଉନ୍ନତି ରେ ଏକ ଉନ୍ନତ ଓ କ୍ରିୟାଶୀଳ ସମାଜ ଗଠନ ହେଇପାରିବ ବୋଲି ସେ କହିଥିଲେ। କ୍ରୀଡା ଆମକୁ ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ କହିଥିଲେ।
ଆଜି ଉଦଯାପନୀ ଦିବସ ରେ ପାରାଦୀପ ପୋର୍ଟ ଓ ମହେନ୍ଦିପୁର କ୍ଲବ ମଧ୍ୟରେ ହୋଇଥିବା ମ୍ୟାଚ୍ ଟି ୩-୧ଗୋଲ ରେ ସମାପ୍ତ ହୋଇଛି।ଏହି ମ୍ୟାଚରେ ମହେନ୍ଦିପୁର କ୍ଲବ ବିଜୟ ହାସଲ କରିଛି । ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ଵ ବିଜୟିନୀ ପଟ୍ଟନାୟକ ,କ୍ରୀଡା ସଂସଦ ର ସମ୍ପାଦକ ଦୋଳ ଗୋବିନ୍ଦ, ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରସନ୍ନ ମହାନ୍ତି ଆଜି ସମାରୋହରେ ଉପସ୍ଥିତ ଥିଲେ।