ଦିଗପହଣ୍ଡି,୦୯/୦୪/୨୦୨୫ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବୋମା ବିସ୍ଫୋରଣରେ ୩ ଟି ଘରର ଛାତ ଉଡ଼ି ଯାଇଛି। ସୌଭାଗ୍ୟ ବଶତଃ ଗାଁ’ରେ ଚାଲିଥିବା ମା’ ଦଣ୍ଡକାଳୀଙ୍କ ନାଚ ଦେଖିବାକୁ ଯାଇଥିବାରୁ ୩ ଟି ପରିବାର ର ଲୋକେ ମୃତ୍ୟୁମୁଖରୁ ରକ୍ଷା ପାଇ ଯାଇଛନ୍ତି।
ସ୍ବାମୀ-ସ୍ତ୍ରୀ କଳହରୁ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଗ୍ରାମର ଗୌଡ଼ ସାହି ବାସିନ୍ଦା ବି. ଲାଛୁ ଦୋରାଙ୍କ ଜ୍ବାଇଁ ସୁରେନ୍ଦ୍ର ଦୋରା ଏହି ଘଟଣା ଘଟାଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ଗ୍ରାମର ଅନୀଲ ସାହୁ, ବାବୁ ସାହୁ ଏବଂ ଦଣ୍ଡପାଣି ସାହୁଙ୍କ ଘର ଛାତ ଭାଙ୍ଗି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାବୁ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ଶୁଭଶ୍ରୀ ବିଷୋୟୀ ଏବଂ ଅନିଲ ,ଦଣ୍ଡପାଣି ୨ ପରିବାରଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବ ପତ୍ର ମଧ୍ୟ ଧ୍ବଂସ ହୋଇଯାଇଛି।
ଅଭିଯୁକ୍ତ ସୁରେନ୍ଦ୍ର ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖି ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଟିମ୍ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛନ୍ତି। ଅନୀଲ ସାହୁଙ୍କ ଏତଲା କ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।