ସୁଦକ୍ଷ ପ୍ରଶାସକ ବିମଳ କିଶୋର ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଓ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ।

ଭୁବନେଶ୍ୱର, ୦୨/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସୁଦକ୍ଷ ପ୍ରଶାସକ ବିମଳ କିଶୋର ମିଶ୍ର ଓଡିଶାର  ପ୍ରଶାସନିକ , ବୌଦ୍ଧିକ, ସାଂସ୍କୃତିକ,  ଶିକ୍ଷା ତଥା ଇତିହାସରେ  ଏକ କିମ୍ବଦନ୍ତୀ ପୁରୁଷ ଥିଲେ । ତାଙ୍କର ନିଷ୍ଠା, ସତ୍ୟନିଷ୍ଠ ବିଚାରଧାରା, ଭାରତୀୟ ପ୍ରଶାସନ ସର୍ବୋପରି ଓଡିଶାର ଶିକ୍ଷା ଜଗତକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଆଗାମୀ ଉତ୍ତରପୁରୁଷ , ପ୍ରଶାସନ ଓ ଶିକ୍ଷାବିତ୍ ତାଙ୍କ ଆଦର୍ଶକୁ ଅନୁସରଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସ୍ୱର୍ଗତ ବିମଳ କିଶୋର ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମତ  ପ୍ରକାଶ କରିଥିଲେ । ସ୍ଥାନୀୟ ଜୟଦେବ ଭବନ ଠାରେ ଆଜି ସଂଧ୍ୟାରେ ବିମଳ କିଶୋର ମିଶ୍ର ଶତବାର୍ଷିକୀ ସମାରୋହ କମିଟି ତରଫରୁ ଆୟୋଜିତ ଏହି ଉତ୍ସବରେ ଯୋଗଦେଇ  ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଜେନା,  ଦ୍ୱିତୀୟ ଓଡିଆ  ଭାରତୀୟ ପ୍ରଶାସନିକ  ସେବା ଅଧିକାରୀ ସ୍ୱର୍ଗତ ମିଶ୍ରଙ୍କ ଜୀବନ ଓ ସାଧନା ବାସ୍ତବରେ ଅନୁକରଣୀୟ ବୋଲି ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ସ୍ମୃତି କମିଟି ତରଫରୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ବିମଳ କିଶୋର ମିଶ୍ର ସ୍ମୃତି କମିଟିର ଅଧ୍ୟକ୍ଷ ତଥା ପ୍ରାକ୍ତନ ପ୍ରଶାସକ ଶ୍ରୀ ସଂଜୀବ ଚନ୍ଦ୍ର ହୋତା ସଭାପତିତ୍ୱ କରି ସ୍ୱର୍ଗତ ମିଶ୍ର,  ପ୍ରଶାସନିକ ସଂସ୍କାରରେ ଅଦ୍ୱିତୀୟ, ସଂସ୍କୃତିସଂପନ୍ନ ବ୍ୟକ୍ତିତ୍ୱ ଥିଲେ ଓ ସହନଶୀଳତା ତାଙ୍କର ପରିଭାଷା ଥିଲା ବୋଲି ପ୍ରକାଶ କରିଥିଲେ ।

 ଉତ୍ସବରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ମାରକ ପ୍ରାଧୀକରଣର ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ବସା ‘ପ୍ରଥମ ବିମଳ କିଶୋର ସ୍ମାରକୀ’ ବକ୍ତବ୍ୟ ପ୍ରଦାନ କରିଥିଲେ ।  ଓଡିଶାର ପ୍ରତ୍ନତାତ୍ତ୍ୱିକ  ଐତିହ୍ୟ,  ସମସ୍ୟାଓ ସମ୍ଭାବନାଶୀର୍ଷକ ଉପରେ ବକ୍ତବ୍ୟ  ପ୍ରଦାନ କରି ସେ  କହିଥିଲେ ଯେ, ଓଡିଶାର ପ୍ରତ୍ନତତ୍ତ୍ୱ ପ୍ରାଚୀନ ଓ  ଏହା ଅନେକ ସଂସ୍କୃତିର ବିଚାର ଭାବ ବହନ କରେ । ସଭ୍ୟତାର ପ୍ରଗତିଶୀଳ ଧାରାକୁ ଉତ୍କଳୀୟମାନଙ୍କର ଅବଦାନ ସଂପର୍କରେ ପ୍ରଫେସର ବସା ଅନେକ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ, ଯାହାକି ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।  ଭଲ ମଣିଷର ସଂଜ୍ଞା କହିଲେ ବିମଳ ମିଶ୍ରଙ୍କୁ ବୁଝାଏ ବୋଲି ସେ କହିଥିଲେ । ଉତ୍ସବରେ ସମାରୋହ କମିଟିର ସଂପାଦକ ଡଃ. ବିଜୟାନନ୍ଦ ସିଂ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱର୍ଗତ ବିମଳ ମିଶ୍ର ଗଣିତ, ସଂସ୍କୃତ, ସଂସ୍କୃତି ଓ ଶିକ୍ଷାର ପ୍ରଗାଢ ଜ୍ଞାନର ଅଧିକାରୀ ଥିଲେ ବୋଲି ପ୍ରକାଶ କରିଥିଲେ । ସ୍ମୃତି କମିଟିର ସଦସ୍ୟ ଦେବସ୍ନାନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।  ଉତ୍ସବରେ ବିମଳ କିଶୋର ମିଶ୍ର  ଶତବାର୍ଷିକୀ ସ୍ମରଣିକା ‘ଶ୍ରଦ୍ଧେୟ ସ୍ମୃତିରେଖା’ ସହିତ ସ୍ୱର୍ଗତ ମିଶ୍ରଙ୍କ ସୁପୁତ୍ର ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ରଙ୍କ ରଚିତ ବିମଳ କିଶୋର ମିଶ୍ରଙ୍କ ଜୀବନୀ ସଂପର୍କିତ ପୁସ୍ତକ ‘ଅବିଚଳ ବିମଳ’ ଓ ଏହାର ଇଂରାଜୀ ଅନୁବାଦର ଦ୍ୱିତୀୟ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଶୁଭଉନ୍ମୋଚିତ ହୋଇଥିଲା ।ଏହି ସମାରୋହରେକର୍କଟ ରୋଗ ସମ୍ପର୍କରେ ବିଶେଷ ଗବେଷଣା ପାଇଁବିମଳ କିଶୋରଙ୍କ ଧର୍ମପତ୍ନୀଙ୍କ ନାମରେ  କ୍ଷେତ୍ରମଣି ସ୍ମାରକୀ ପୁରସ୍କାର ଡା. ବି.ସୁରାଗାଙ୍କୁ ପ୍ରଦାନ କରାଯାଇଥିଲା ।  ପୁରସ୍କାର ସ୍ୱରୂପ ତାଙ୍କୁ ସ୍ମୃତି କମିଟି ତରଫରୁ ୫୦ ହଜାର ଟଙ୍କା , ମାନ ପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା ।  ବିମଳ କିଶୋର ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଡାକ ଲଫାଫା ମଧ୍ୟ ଆଜି ଉନ୍ନୋଚିତ ହୋଇଥିଲା । ଏହି ଅବସରରେ  ଏକ ସଂକ୍ଷିପ୍ତ ବୃତ୍ତଚିତ୍ର ‘କର୍ମଯୋଗୀ ବିମଳ କିଶୋର’ ପ୍ରଦର୍ଶନ କରାଯାଇଥିଲା । ପ୍ରାରମ୍ଭରେ ସ୍ୱର୍ଗତ ମିଶ୍ରଙ୍କ ଅନ୍ୟତମ ସୁପୁତ୍ର ଶ୍ରୀକାନ୍ତ ମିଶ୍ର ବେଦପାଠ କରିଥିଲେ ।  କାର୍ଯ୍ୟକ୍ରମରେ  ବିମଳ କିଶୋର ମିଶ୍ରଙ୍କ ପରିବାରର ଅନ୍ୟ ସଦସ୍ୟ ଓ ସ୍ମୃତି କମିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ । ବିଶିଷ୍ଟ ସଂଗୀତ ଶିଳ୍ପୀ ଅନିନ୍ଦିତା ଦାସ ଓ ସାଥୀଙ୍କ ଦ୍ୱାରା ପ୍ରାରମ୍ଭିକ ଦେଶାତ୍ମବୋଧକ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଶ୍ରୀ ଶିବାନନ୍ଦ ବାରିକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏହି  କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅବସରପ୍ରାପ୍ତ ଓ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ସାରସ୍ୱତ ସାଧକ ଓ ଜନସାଧାରଣ ଯୋଗ ଦେଇଥିଲେ ।ପ୍ରକାଶ ଥାଉକି, ସ୍ୱର୍ଗତ ମିଶ୍ରଙ୍କ ଜନ୍ମସ୍ଥାନ ଢେଙ୍କାନାଳରେ ବିମଳ କିଶୋର ମିଶ୍ରଙ୍କର ଏକ  ପ୍ରତିମୂର୍ତ୍ତି ଗତକାଲି ଏହି ଅବସରରେ ଉନ୍ମୋଚିତ ହେବା ସହ ଢେଙ୍କାନାଳର ଅମଲାପଡା ଲେନ୍ ରାସ୍ତାକୁ  ତାଙ୍କ ନାମରେ  ନାମକରଣ  କରାଯାଇଛି ।

Leave a Reply

Your email address will not be published. Required fields are marked *