ପାଞ୍ଚ ଦିନିଆ “ପଖାଳ ଉତ୍ସବ’ ୯ରୁ

ଭୁବନେଶ୍ୱର,୦୮/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶାର ପାରମ୍ପାରିକ ଖାଦ୍ୟ ‘ପଖାଳ’ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ବେଶ ଆଦୃତ । ଯଦିଓ ଖରାଦିନେ ଏହା ଖାଇବାକୁ ବେଶି ଭଲ ଲାଗେ ତେବେ ଓଡ଼ିଶାରେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବର୍ଷକ ବାର ମାସ ଲୋକମାନେ ପଖାଳ ଖାଇବାକୁ ଭଲ ପାଇଥାନ୍ତି । ପ୍ରତ୍ୟେକ ଓଡ଼ିଆଙ୍କର ଏହି ପସନ୍ଦର ଖାଦ୍ୟର ଅଧିକ ପ୍ରଚାର ଓ ପ୍ରସାର କରିବା ଉଦ୍ଧେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ୍ (ଏସଏଚଏମ୍ ) ପକ୍ଷରୁ ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ୍ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି ।

ପାଞ୍ଚ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା କରାଯାଇଛି । ପାରମ୍ପାରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡ଼ିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଏହି ପଖାଳ ଉତ୍ସବର ମୁଖ୍ୟ ଉଦ୍ଧେଶ୍ୟ ବୋଲି ଏସଏଚଏମ୍ ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସୂଚନା ଦେଇଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି ।

ପଖାଳ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଏହା ଶ୍ରୀମନ୍ଦିରରେ ଭୋଗ ଲାଗିଥାଏ । ନେପାଳ, ବାଂଲାଦେଶ ଓ ମିଆଁମାର ଭଳି ଦେଶଗୁଡ଼ିକରେ ମଧ୍ୟ ଲୋକମାନେ ପଖାଳ ଖାଇବାକୁ ପସନ୍ଦ କରିଥାନ୍ତି । ଏସଏଚଏମ୍ ରେ ୫ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ଟା ପର୍ଯ୍ୟନ୍ତ ଅତିଥିମାନଙ୍କୁ ପଖାଳ ପରଷାଯିବ । ଏହି ଉତ୍ସବକୁ ଏସଏଚଏମ୍ର ଛାତ୍ରଛାତ୍ରୀମାନେ ହିଁ ସଂଚାଳନ କରିବେ । ଏହି ପଖାଳ ଉତ୍ସବରେ ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯିବାର ବ୍ୟବସ୍ଥା ରହିଛି ।

ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡ଼ା, ଚିଙ୍ଗୁଡ଼ି ଛେଚା, ମାଛ ଭଜା, ମାଛ କାଲିଆ, ଛତୁ ପତ୍ରପୋଡ଼ା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ପରିବା ଭଜା, ଆମ୍ବ ଛେଚା ଚଟଣୀ, ପୋଡ଼ା ଟମାଟୋ ଚଟଣୀ, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡ଼ି ଚୁରା ଇତ୍ୟାଦି ପରିବେଷଣ କରାଯିବ ।

https://www.soa.ac.in/general-notifications/2025/4/7/soa-hotel-management-institute-to-hold-pakhala-festival

Leave a Reply

Your email address will not be published. Required fields are marked *