ପ୍ରସିଦ୍ଧ ଅସୁରେଶ୍ୱରର ରଘୁନାଥଜୀଉ ପୀଠରେ ଶ୍ରୀରାମ ନବମୀ ଓ ଦାଣ୍ଡଯାତ୍ରା

ନିଶ୍ଚନ୍ତକୋଇଲି,୦୬/୦୪/୨୦୨୫ (ଓଡ଼ିଶା ସମାଚାର)-  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମଲ୍ଲୀପୁର କେଣ୍ଟାଳ, ଅସୁରେଶ୍ୱରରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ଭାରତ ବର୍ଷର ଭିନ୍ନ ରାମ ମନ୍ଦିର ମଧ୍ୟରେ ଅନ୍ୟତମ। ତାତ୍ପର୍ଯ୍ୟ ଏହି ଯେ ବିଶ୍ୱରେ ଥିବା ସମସ୍ତ ଶ୍ରୀରାମ ମନ୍ଦିର ଦର୍ଶନ କଲେ ଏହା ଜଣାପଡେ ଯେ ପ୍ରତେକ ମନ୍ଦିରରେ ପ୍ରଭୁ ଶ୍ରୀରାମ ମଧ୍ୟରେ ବିରାଜମାନ କରୁଥିବା ବେଳେ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିରରେ ମାତା ସୀତା ମଧ୍ୟରେ ଓ ଶ୍ରୀରାମ ଲକ୍ଷ୍ମଣ ଦୁଇ ଭ୍ରାତା ମାତା ସୀତାଙ୍କ ଦୁଇ ପାର୍ଶ୍ୱରେ ବିରାଜମାନ। ଯାହା ଅନ୍ୟ ମନ୍ଦିର ମାନଙ୍କରେ ଦେଖିବାକୁ ମିଳେନାହିଁ। ଏହି ଉତ୍ତାରୁ ପ୍ରଭୁ ଶ୍ରୀ ରଘୁନାଥ ତପସ୍ୱି ବେଶ ବା ବନବାସୀ ବେଶରେ ଏହି ମନ୍ଦିରରେ ବିରାଜମାନ ହୋଇଛନ୍ତି। ଶ୍ରୀ ରଘୁନାଥଙ୍କର ବାର ମାସରେ ତେର ଯାତ ମଧ୍ୟରେ ଶ୍ରୀରାମ ନବମୀ ଯାତ୍ରା ଓଡିଶା ପ୍ରସିଦ୍ଧ ଅଟେ ।

ଲୋକକଥା ଅଛି – ” ଓଳକଣା ମେଲଣ, ଆଳିରଜା ଝୁଲଣ , ଅସୁରେଶ୍ୱର ରାମନବମୀ, ପୁରୁଷୋତ୍ତମ ଚନ୍ଦନ “

ଏହି ଅନୁସାରେ ଓଡିଶାର ପ୍ରସିଦ୍ଧ ଚାରି ଯାତ୍ରାରେ ଅସୁରେଶ୍ୱର ଶ୍ରୀରାମ ନବମୀ ପ୍ରସିଦ୍ଧି ଲାଭ କରିଛି। ଓଡିଶା ପ୍ରସିଦ୍ଧ ଶ୍ରୀରାମ ନବମୀ ଚୈତ୍ର ମାସର ଶ୍ରୀରାମ ନବମୀ ଦିନ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ପ୍ରତେକ ରାତ୍ରରେ ପାରମ୍ପରିକ ଯାତ୍ରା ପରିବେଷଣ କରାଯାଇଥାଏ। ଏହି ଯାତ୍ରାରେ ସୁଆଙ୍ଗୀ (କଳାକାର) ମାନେ ମୁକ ଅଭିନୟ କରି ଦର୍ଶକ ମାନଙ୍କୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମନମୁଗ୍ଧ କରିଥାନ୍ତି। ଏହି ୧୧ ଦିନ ଯାତ୍ରା ମଧ୍ୟରେ ଅନୁଷ୍ଠିତ ହୁଏ ଚୈତ୍ର ପୁର୍ଣିମା ଓଡିଶା ପ୍ରସିଦ୍ଧ ଦାଣ୍ଡଯାତ୍ରା। ଯାହା ଓଡ଼ିଶାର କୋଣ ଅନୁକୋଣରୁ ଭକ୍ତ ମାନେ ମାନସିକ ବାଣ ନୈବେଦ୍ୟ ଦେଇ ଶ୍ରୀରଘୁନାଥ ଜୀୟୁଙ୍କ ନିକଟରେ ମାନସିକ ପୂରଣ କରିଥାନ୍ତି।

ପ୍ରବାଦ ଅଛି ସନ୍ଥ ତୁଳସୀ ଦାସଙ୍କ ରାମଚରିତ ମାନସରୁ ଚୌପାଇ ଅନୁସାରେ ପ୍ରଭୁ ଶ୍ରୀ ରଘୁନାଥ ଜୀୟୁ ମଲ୍ଲୀପୁର କେଣ୍ଟାଳ, ଅସୁରେଶ୍ୱରରେ ପ୍ରତିଷ୍ଠାତା ସନ୍ଥ ରାମକୃଷ୍ଣ ଦାସଜୀ ମହାରାଜଙ୍କର କର କମଳରେ ଦୀର୍ଘ ୫ ଶହ ବର୍ଷ ପୂର୍ବରୁ ସିଂହାସନ ଅଳଙ୍କୃତ କରି ବିରାଜମାନ ହୋଇଛନ୍ତି। ଏଥି ମଧ୍ୟରେ ଉକ୍ତ ମନ୍ଦିରରେ ପ୍ରତିଷ୍ଠାତା ସନ୍ଥ ଶ୍ରୀ ରାମକୃଷ୍ଣ ଦାସ ମହାରାଜଙ୍କ ଠାରୁ ମହନ୍ତ କାର୍ତ୍ତିକ ଚନ୍ଦ୍ର ଦାସଙ୍କ ପର୍ଯ୍ୟନ୍ତ ୧୧ ଜଣ ସନ୍ୟାସୀ କାର୍ଯ୍ୟଭାର ତୁଲାଇଥିଲେ। ୧୯୬୪ ମସିହାରେ ଦେବୋତ୍ତର ବିଭାଗ ହାତକୁ ନେବାପରେ ପ୍ରଥମ ମ୍ୟାନେଜିଙ୍ଗ ଟ୍ରଷ୍ଟି ବଳରାମ ସାହୁଙ୍କ ଠାରୁ ବର୍ତମାନର କାର୍ଯ୍ୟରତ ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁଙ୍କ ପର୍ଯ୍ୟନ୍ତ ୧୧ ଜଣ କାର୍ଯ୍ୟଭାର ତୁଲାଇଛନ୍ତି। ଦୀର୍ଘ ୧୧ ବର୍ଷ ତଳେ ଏକ ସୁନ୍ଦର ନୂତନ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ମନ୍ଦିରର ଚତୃପାଶ୍ୱ ବେଢା, ବିଭାହ ମଣ୍ଡପ, ମାନସ ମଣ୍ଡପ, ଯଜ୍ଞ ମଣ୍ଡପ ସହ ସୁନ୍ଦର ପୁଷ୍କରିଣୀ ମଧ୍ୟ୍ୟ ନିର୍ମାଣ ହୋଇଛି। ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଶହ ଶହ ଭକ୍ତଙ୍କ ସମାଗମ ହେଉଥିବା ବେଳେ ୧୧ ଦିନ ବ୍ୟାପୀ ହେଉଥିବା ଶ୍ରୀରାମ ନବମୀ ଓ ଦାଣ୍ଡଯାତ୍ରାରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ  ଲକ୍ଷାଧିକ ଭକ୍ତ ସମାଗମ ହୁଅନ୍ତି।

ବର୍ତମାନର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁ କୁହନ୍ତି – ପ୍ରଭୁ ରଘୁନାଥ ଜୀୟୁଙ୍କ ଅପାର କରୁଣା ରହିଛି। ଓଡିଶାରର ବିଭିନ୍ନ ପ୍ରାନ୍ତରରୁ ଲକ୍ଷ୍ୟାଧିକ ଭକ୍ତ ଉକ୍ତ ପୀଠକୁ ଆସି ଠାକୁରଙ୍କ ମୁଖ୍ୟ ନୈବେଦ୍ୟ ବାଣ ମାନସିକ କରନ୍ତି। ଭକ୍ତିରେ ଡାକିଲେ କରୁଣା ସାଗର ରଘୁନାଥ ମନସ୍କାମନା ପୂରଣ କରନ୍ତି। ଆସନ୍ତା ଶ୍ରୀରାମ ନବମୀ ଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସମାପନ ପାଇଁ ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ଓ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କ ସହଯୋଗ କାମନା କରିଥିଲେ।

ଶ୍ରୀ ରଘୁନାଥଜିଉଙ୍କ ପୂଜକ ପ୍ରତାପ କୁମାର ଶତପଥୀ କହନ୍ତି – ଭାବର ଠାକୁର ସେ ଶ୍ରୀରଘୁନାଥ। ସଂସାରରେ ମଙ୍ଗଳ, ନିସ୍ଵାର୍ଥପର ଭାବେ ଭକ୍ତିରେ ଡାକିଲେ ରଘୁନାଥଜିଉଙ୍କ କରୁଣା ପ୍ରାପ୍ତି ହୁଏ। ନିଃସନ୍ତାନ ଦମ୍ପତି ଭକ୍ତିର ସହ ରଘୁନାଥଜିଉଙ୍କ ନିକଟରେ ଗୁଆ ବସାଇ ମାନସିକ କଲେ ପୁତ୍ର ସନ୍ତାନ ଲାଭ ହୁଏ। ଜଗତର ମଙ୍ଗଳ, ଗରିବର ଦୁଃଖ ଲାଘବ ପାଇଁ ରଘୁନାଥ ଜୀଉ ସବୁବେଳେ ଜାଗ୍ରତ। ଭାବ ବିନୋଦିଆ ଠାକୁର ଶ୍ରୀ ରଘୁନାଥଙ୍କୁ ଭକ୍ତିର ସହ ସାମାନ୍ୟ ପୁଷ୍ପ ନୈବେଦ୍ୟ ପ୍ରଦାନ କଲେ କଷ୍ଟ ଲାଘବ ସହ ଆଶା ପୂରଣ ହୁଏ ବୋଲି କହିଥିଲେ।

-0-

ପ୍ରକାଶ ଚନ୍ଦ୍ର ରାଉଳ

ନିଶ୍ଚିନ୍ତକୋଇଲି

ମୋବାଇଲ ନ -୯୪୩୭୩୧୫୪୧୪

Leave a Reply

Your email address will not be published. Required fields are marked *