ଜନ୍ମ ଦିବସରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୦୫/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସାମ୍ପ୍ରତିକ ସମୟରେ ଜନ୍ମଦିବସକୁ ପ୍ରତ୍ୟେକ ବ୍ୟକ୍ତି ପଂଚତାରକା ହୋଟେଲରେ ସାଙ୍ଗସାଥୀଙ୍କ ମେଳରେ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ କରି ଜନ୍ମଦିବସ ପାଳନ କରୁଥିବା ବେଳେ ରାଜଧାନୀର ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଦଣ୍ଡଧର ପାଣିଙ୍କ ଜନ୍ମଦିବସକୁ ପାର୍କରେ ସାଧାରଣ ଜନତାଙ୍କ ଗହଣରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଇନ୍ଦିରାଗାନ୍ଧୀ ପାର୍କରେ ଶତାଧିକ ପ୍ରାତଃଭ୍ରମଣକାରୀ, ସହକର୍ମୀ ବନ୍ଧୁ ଓ ପରିବାର ସଦସ୍ୟଙ୍କ ଗହଣରେ ଦଣ୍ଡଧର ପାଣି ନିଜର ୮୯ତମ ଜନ୍ମ ଦିବସ ପାଳନ କରିଥିଲେ । ସକାଳ ୭ ଘଟିକାରେ ଶୁଭେଚ୍ଛୁ ଓ ସମର୍ଥକଙ୍କ ଗହଣରେ କେକ୍ କଟାଯିବା ପରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଶ୍ରୀଯୁକ୍ତ ପାଣିଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଦୀର୍ଘ ଜୀବନ ୧୦୦ ବର୍ଷ ଅତିବାହିତ କରିବା ପାଇଁ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କାମନା କରିଥିଲେ ।

ଏହି ଅବସରରେ ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ ତଥା ‘ଉନ୍ନତିପଥେ‘ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ଅନିଲ୍ ପଣ୍ଡା, ଅଜିତ ଦାସ, ଜ୍ୟୋତିକ୍ରିଷ୍ଣା ସୁନ୍ଦରାୟ, ଗୀତାରାମ ଖାଡ଼ିଆ, ମିଟୁ ଲେଙ୍କା, ନଜିବୁଲ ରହମନ ଖାନ, ସୁବ୍ରତ କୁଅଁର ପ୍ରମୁଖ ଜନ୍ମ ଦିବସରେ ଶ୍ରୀଯୁକ୍ତ ପାଣିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ପାଣିଙ୍କ ପୁତ୍ର ବିନୋଦ କୁମାର ପାଣି, ବିମଳ କୁମାର ପାଣି, ଉମାକାନ୍ତ ପାଣି, ବୋହୁ ଅଞ୍ଜଳି ମଲ୍ଲ, ଶାନ୍ତି ରଥ, ନମିତା ପାଣି, ସୌଦାମିନୀ ପାଣି, ଇତିଶ୍ରୀ ପାଣି, ନାତି ଅଭିଶେକ ପାଣି, ଅଭିଜିତ ପଣ୍ଡା, ପରିବାରର ଅନ୍ୟ ସଦସ୍ୟଙ୍କ ସମେତ ଶତାଧିକ ପ୍ରାତଃଭ୍ରମଣକାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *