ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର,୦୫/୦୪/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସର୍ବଦା ରକ୍ତଦାନ ପ୍ରତି ଆଗଭର ଥିବା ଯୁବ ସମାଜସେବୀ ତଥା ଫିନିକ୍ସ ସେବା ସାମାଜିକ ଅନୁଷ୍ଠାନର ଅଧ୍ୟକ୍ଷ ମଲ୍ଲିକ ଅୱେସ୍ ଙ୍କ ଜନ୍ମଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରି ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନରେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଯେଉଁଭଳି ଭାବେ ବୃଦ୍ଧି ପାଉଛି, ସେହି ପରିମାଣରେ ରକ୍ତ ମହଜୁଦ୍ ନଥିବାରୁ ଅନେକ ଥାଲେସେମିଆ ରୋଗୀ ମୃତୁ୍ୟବରଣ କରୁଛନ୍ତି ।

ଏହାକୁ ହୃଦୟଙ୍ଗମ କରି ଶ୍ରୀଯୁକ୍ତ ମଲ୍ଲିକ ଉକ୍ତ ରକ୍ତଦାନ ଶିବିରଟି ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡ. ପ୍ରଦୀପ ମହାରଣା ଓ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ ଯୋଗ ଦେଇ ଶ୍ରୀଯୁକ୍ତ ମଲ୍ଲିକଙ୍କର ଏହି ସାଧୁ ଉଦ୍ୟମକୁ ପ୍ରଶଂସା କରିବା ସହ ରକ୍ତଦାନ ଜୀବନଦାନ, ରକ୍ତର ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ, ରକ୍ତଦାନ ମହାପୁଣ୍ୟ ଆଦି ବାର୍ତାର ପ୍ରଚାର ଓ ପ୍ରସାର ମାତ୍ରାଧିକ ହେଲେ ସମାଜର ଅନେକ ସ୍ୱେଚ୍ଛାକୃତ ହେଲେ ରକ୍ତଦାନ କରିବାକୁ ଆଗେଇ ଆସିବେ ବୋଲି ମତବ୍ୟକ୍ତ କରିଥିଲେ ।

ଆଶୁତୋଷ ପରିଡ଼ା, ସେକ୍ ରହେମାନ୍, ଗଣେଶ ଚନ୍ଦ୍ର ପାତ୍ର, ହରି ପ୍ରସାଦ ପ୍ରଧାନ, ବିଶ୍ୱନାଥ ପାତ୍ର, ମଲ୍ଲିକ ଅୱେସ୍ ପ୍ରମୁଖ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହରିଶଚନ୍ଦ୍ର ପଟ୍ଟନାୟକ, ସୁଜିତ୍ ନାୟକ, ପ୍ରୀତମ ମିଶ୍ର, ସିଲୁ ସାହୁ, ବିନୋଦ ରାଉତ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *