ଡ଼ମଣଭୂମିରେ ଦନ୍ତା ହାତୀର ମୃତ୍ୟୁ: କାରଣ ଅସ୍ପଷ୍ଟ,  ରିପୋର୍ଟ ଆସିବା ପରେ ଜଣାପଡ଼ିବ: ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ

ନିରାକାରପୁର, ୮/୭/୨୦୨୪ (ଓଡ଼ିଶା ସମାଚାର)- ହାତୀ ମଣିଷ ଲଢେଇ ଏବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ୨୦ ବର୍ଷରୁ ଅଧିକ ହେବ ଚନ୍ଦକା ଜଙ୍ଗଲରୁ ଟାଙ୍ଗୀ ବନାଳକୁ ଆସିଥିବା ହାତୀପଲ ସେମାନଙ୍କ ବଂଶ ବୃଦ୍ଧି କରି ଆଉ ଫେରିବାର ନାଁ ଧରୁ ନାହାଁନ୍ତି । ଫଳରେ ଟାଙ୍ଗୀ ବନାଂଚଳ ଏବେ ପାଲଟଛି ହାତୀ ଅଭ୍ୟୟାରଣ୍ୟ । ଏହି ହାତୀ ପଲ ଗାଁ ମୁହାଁ ଯୋଗୁ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ହାତୀଙ୍କ ପାଳି ପଡ଼ୁଛି । ଆଜି ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଂଚଳ ଅଧୀନସ୍ଥ ଜଙ୍କିଆ ଥାନା ଅନ୍ତର୍ଗତ ଓଳସିଂହ ପଂଚାୟତ ଡ଼ମଣଭୂମି ଗ୍ରାମର ଛୋଟରାୟ ସାହି ନିକଟରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରି ପଡ଼ିଥିବା ଭୋରୁ ଲୋକେ ଦେଖିବାକୁ ପାଇଥିଲେ । ହେଲେ କେଉଁ କାରଣରୁ ମୃତ୍ୟୁବରଣ କରିଛି ଦନ୍ତା ତାହା ଏବେ ସ୍ପଷ୍ଟ ହୋଇନାହିଁ । ଟାଙ୍ଗୀ ବନାଂଚଳର ଗୟାବନ୍ଧ.ଓଳସିଂହ ଓ ଡ଼ମଣଭୂମି ଜଙ୍ଗଲରେ ପ୍ରାୟେ ବର୍ଷଯାକ ହାତୀ ରହିଥାନ୍ତି । ଏମାନଙ୍କ ସୁରକ୍ଷା ଓ ମଣିଷ ଧନଜୀବନ ରକ୍ଷା କରିବା ପାଇଁ ବନ ବିଭାଗର ଏକ ସ୍ୱତନ୍ତ୍ର ବିଟ ହାଉସ ନାଲସିଂହ ଓ ଗୟାବନ୍ଧରେ କରାଯାଇଛି । ସେମାନଙ୍କ ଗତିବିଧି ଉପରେ ନଜର ରଖି ଘେଉଡ଼ାଇବା ଛଡ଼ା ବନ ବିଭାଗ କର୍ମଚାରୀମାନଙ୍କର ଅନ୍ୟଗତି କିଛି ନାହିଁ । ୭ ତାରିଖ ରବିବାର ରାତିରେ କିଛି ହାତୀ ଏହି ଅଂଚଳରେ ବୁଲୁଥିବାବେଳେ ଡ଼ମଣଭୂମି ଖେଳ ପଡ଼ିଆ ଦେଇ ଛୋଟରାୟ ସାହି ଆଡ଼କୁ ଯାଇଥିଲେ  । ଏମାନଙ୍କ ଗତିବିଧି ବନ କର୍ମଚାରୀମାନେ ଲକ୍ଷ୍ୟ କରିଥିଲେ ବି ଅନ୍ୟ କେତୋଟି ହାତୀ ଫେରିଥିବାବେଳେ ଏହି ଦନ୍ତା ହାତୀଟି ଫେରି ନଥିଲା । ପରେ ସକାଳ ହୋଇଯିବାରୁ ଗଜ ସାଥୀମାନେ ଖୋଜାଖୋଜି କରିବାବେଳେ ଏହି ଦନ୍ତା ହାତୀଟି ମୃତ୍ୟୁବରଣ କରି ଛୋଟରାୟ ସାହି ନିକଟରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଉକ୍ତ ଘଟଣାସ୍ଥଳ ନିକଟରେ କିଛି ବ୍ୟକ୍ତିଙ୍କର ବାଡ଼ିପଟରେ ପନିପରିବା ଚାଷ ହୋଇଥିବାରୁ ବୋଧେ ହାତୀ ଏହାକୁ ଖାଇବାକୁ ଆସିଥିବାର ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳକୁ ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ଏସିଏଫ ସ୍ୱାତୀ ମହାନ୍ତି ଓ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ପହଂଚି ଅନୁଧ୍ୟାନ କରିଥିଲେ । ପରେ ଟାଙ୍ଗୀ ପ୍ରାଣୀ ଚିକିତ୍ସାଧୀକାରୀ ଚନ୍ଦ୍ରମଣି ସାହୁ, ଅତିରିକ୍ତ ଚିକିତ୍ସକ ଦିପ୍ତୀମୟୀ ପଟ୍ଟନାୟକ ଓ ନିରାକାରପୁର ପ୍ରାଣୀ ଚିକିତ୍ସକ ପ୍ରିୟମ୍ବଦା ପ୍ରିୟଦର୍ଶନୀଙ୍କ ପହଂଚି ହାତୀ ମୃତ ଦେହର ବିଭିନ୍ନ ଅଂଶ ବିଶେଷ ସଂଗ୍ରହ କରି ଓୟୁଟିକୁ ପରୀକ୍ଷା ପାଇଁ ପଠାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଶାନ୍ତିଶୃଖଂଳା ରକ୍ଷା କରିବା ପାଇଁ ଜଙ୍କିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଓ ସେମାନଙ୍କ ଷ୍ଟାଫ ସହଯୋଗ କରିଥିଲେ । ଶେଷରେ ହାତୀଟିକୁ କ୍ରେନ ସାହାଯ୍ୟରେ ଉଠାଇ ଟ୍ରକ ଯୋଗେ ବଡ଼ପୋଖରୀଆ ନିକଟସ୍ଥ ଜଙ୍ଗଲକୁ ନେଇ ପୋତାଯାଇଥିବା ଜଣାପଡ଼ିଛି । ବିଭିନ୍ନ ଦିଗକୁ ନେଇ ହାତୀ ମୃତ୍ୟୁ ଘଟଣାକୁ  ଅନୁସନ୍ଧାନ ଜାରି ରହିଛି ତେଣୁ ଏବେ ହାତୀର ମୃତ୍ୟୁର କାରଣ କହିବା ସମ୍ଭବ ନୁହେଁ ବୋଲି ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *