ତାଳଚେର, ୦୪/୦୪/୨୦୨୫(ଓଡ଼ିଶା ସମାଚାର)- ତାଳଚେର ପୁଲିସ ଓ ଅନୁଗୁଳ ପୁଲିସର ସ୍ପେସାଲ୍ ସ୍କ୍ୱାଡ୍ ପକ୍ଷରୁ ଏନକାଉଣ୍ଟର ହୋଇଛି । ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତାଳଚେର ତାଳବେଡା ଜଙ୍ଗଲରେ ପୁଲିସର ଏହି ଏନକାଉଣ୍ଟର ହୋଇଛି । ସୁଶାନ୍ତଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତି କରାଯାଇଛି ।
ତାଳଚେର ପୁଲିସ ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡର ଏନକାଣ୍ଟଟର୍ ରେ କୁଖ୍ୟାତ ଅପରାଧି ସୁଶାନ୍ତ ନାଏକ ଗୁରୁତର ଆହତ ହୋଇ ମେଡିକାଲ୍ରେ ଚିକିତ୍ସିତ ହେଉଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା ସୂଚନା ଦେଇଛନ୍ତି । ବୁଧବାର ରାତିରେ ପୁଲିସ ବିଶେଷ ସୂତ୍ରରୁ ଖବରପାଇ ତାଳବେଡ଼ା ଜଙ୍ଗଲରେ ବହୁ ଅପରାଧରେ ଲିପ୍ତ ଥିବା ସୁଶାନ୍ତ ଓ ତା’ ସାଥୀ ପାଲହଡ଼ା ଥାନା ଅନ୍ତର୍ଗତ ପ୍ରଫୁଲ୍ଲ ନାଏକ ସେଠାରେ ରହିଥିବା ଖବରପାଇ ତାଳଚେର ଆଇଆଇସି ଦିଗବଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଅତର୍କିତ ଚଢ଼ଉ କରିଥିବାବେଳେ ଅପରାଧିମାନେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ ।
ଫଳରେ ପୁଲିସ ପକ୍ଷରୁ ୨ ରାଉଣ୍ଡ ଗୁଳି ଚଳାଇବାବେଳେ ଗୋଟିଏ ଗୁଳି ସୁଶାନ୍ତର ବାମ ଗୋଡ଼ରେ ବାଜିବାରୁ ସେ ଆହତ ହୋଇ ତଳେ ପଡ଼ିଯାଇଥିଲା । ଅନ୍ୟପଟେ ସାଙ୍ଗରେ ଥିବା ପ୍ରଫୁଲ୍ଲ ପୁଲିସ ଉପରକୁ ଆକ୍ରମଣ କରିବାରୁ ତାକୁ କାବୁ କରାଯାଇଥିଲା । ପୁଲିସ ଘଟଣାସ୍ଥଳରୁ ୨ଟି ବାଇକ୍ ଜବତ କରିଛି । ସୁଶାନ୍ତ ପୂର୍ବରୁ ଅଙ୍ଗାରୁଆ ହାଟରେ ପୁଲିସକୁ ଗୁଳି କରି ଫେରାର୍ ଥିବାନେଇ ତାଳଚେର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତା’ ନାମରେ ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲା ରହିଥିବାବେଳେ ୮ଟି ୱାରେଣ୍ଟ ରହିଥିବା ନେଇ ଅତିରିକ୍ତ ଏସ୍ି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଭରତଚନ୍ଦ୍ର ସାହୁ ଓ ସ୍ୱତନ୍ତ୍ର ସ୍କାର୍ଡ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ ।
