ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି

ଭୁବନେଶ୍ୱର, ୩୦ /୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ  ମୋଟ ୧୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସମୁଦାୟ ୧୩ ଆକ୍ଟିଭ କେସ୍ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏଥିସହିତ ମାସ୍କ ପିନ୍ଧିବା ସହ ନୂଆବର୍ଷ ଘରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ ରହୁଛି, ବାହାରକୁ ନ ଯାଇ ଘରେ ଜିରୋ ନାଇଟ ପାଳନ କରନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ସ୍ୱାସ୍ଥ୍ୟ ବିଭାଗ ଦେଇଛି । ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜରୁରୀ ଚିଠି କରଯାଇଛି । ସର୍ଭେଲାନ୍ସ, ଟେଷ୍ଟିଂ ଓ ପ୍ରସ୍ତୁତି ବଢାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ ଏବଂ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ କୁହାଯାଇଛି । କୋଭିଡ୍ ଲକ୍ଷଣଯୁକ୍ତ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *