ମେଗା ଏନସିସି ସାଇକ୍ଲୋଥନ ଉଦଯାପିତ

ଓଡ଼ିଶାର ବିକାଶରେ ଯୁବ ପୀଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣର୍ – ରାଜ୍ୟପାଳ
:ଏନସିସିର ଆଦର୍ଶରେ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର, ୦୩ /୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶାର ବିକାଶରେ ଯୁବ ପୀଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଆଜି ଏନସିସି ଗ୍ରୁପ୍ ହେଡକ୍ୱାଟରସ୍, କଟକଠାରେ ଆୟୋଜିତ ମେଗା ଏନସିସି ସାଇକ୍ଲୋଥନର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଆମ ରାଜ୍ୟର ଏନସିସି କ୍ୟାଡେଟ୍ ମାନେ ପରିବର୍ତ୍ତନଶୀଳ ଯାତ୍ରାର ଅଗ୍ରଭାଗରେ ରହିଛନ୍ତି ଯାହାକି ଗର୍ବର ବିଷୟ । ରାଜ୍ୟର ବିକାଶ ନିମନ୍ତେ ଶୃଙ୍ଖଳିତ, ଦାୟିତ୍ୱବାନ ଏବଂ ଦୂରଦୃଷ୍ଟି ସଂପନ୍ନ ଯୁବକ ଭାବରେ ଏନସିସି କ୍ୟାଡେଟ୍ ମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି, ବୈଷୟିକ ପ୍ରଗତି, ସମାଜ କଲ୍ୟାଣ କ୍ଷେତ୍ରରେ ପ୍ରତ୍ୟେକ ଯୁବକ ଜଣେ ଜଣେ ପରିବର୍ତ୍ତନର ମଶାଲ ହୁଅନ୍ତୁ । ଏନସିସିର ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟ ପଥରେ ଚାଲିବା ପାଇଁ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବାକୁ ରାଜ୍ୟପାଳ ଡ. କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି ।


ସାଇକ୍ଲୋଥନ ସଂପର୍କରେ ରାଜ୍ୟପାଳ କହିଥିଲେ ଯେ ଏହା କେବଳ ଏକ ଶାରୀରିକ ଯାତ୍ରା ନୁହେଁ ବରଂ ଏହା ଆମର କ୍ୟାଡେଟ୍ ମାନଙ୍କ ପାଇଁ ବର୍ତମାନର କର୍ତବ୍ୟ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି । ସାଇକ୍ଲୋଥନ ମାଧ୍ୟମରେ କ୍ୟାଡେଟ୍ ମାନେ ଗାଁ ଓ ସହର ପରିକ୍ରମା କରିବା ସହ ଜନସାଧାରଣଙ୍କ ସହ ମିଶିଛନ୍ତି, ଭାବ ବିନିମୟ କରି ଅନେକ ଅଭିଜ୍ଞତା ଓ ଉପଲବ୍ଧି ସାଇଁଟିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସଂରକ୍ଷଣ, ମହିଳା ସଶକ୍ତିକରଣ, ନିଶା ନିବାରଣ, ସାଇବର ସୁରକ୍ଷା, ଡିଜିଟାଲ ସାକ୍ଷରତା, ସଡ଼କ ସୁରକ୍ଷା ଆଦି ଉପରେ ସଚେତନତାର ବାର୍ତ୍ତା ଜନସାଧାରଣଙ୍କ ପାଖରେ ପହଂଚାଇଥିବା କ୍ୟାଡେଟ୍ମାନଙ୍କର ନିଷ୍ଠା, ଉଦ୍ୟମ, ଦେଶପ୍ରେମ ଓ ଉତ୍ସର୍ଗୀକୃତ ମନୋଭାବକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।
ଓଡିଶା ଏନସିସି ନିର୍ଦ୍ଧେଶାଳୟର ଉପ ମହାନିର୍ଦ୍ଧେଶକ କମୋଡୋର ମହେଶ ରାହଙ୍ଗଡ଼ାଲେ ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି ଏନସିସି ସାଇକ୍ଲୋଥନ ଯୁବ ସଶକ୍ତିକରଣ ଏବଂ ସାମାଜିକ ବିକାଶ ପ୍ରତି ସହଭାଗୀ ପ୍ରତିବଦ୍ଧତାକୁ ଦୃଢୀଭୂତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ । ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରି ଏନସିସି କ୍ୟାଡେଟମାନଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ସାଇକେଲ ଶୋଭାଯାତ୍ରାକୁ ସଫଳ କରିବାରେ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡିଶା ଯୁବ ପ୍ରଶିକ୍ଷଣ ସଂସ୍ଥାର ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ରାଜ୍ୟପାଳ ନବୀକୃତ ଏନସିସି ମୁଖ୍ୟାଳୟ ଭବନକୁ ଉଦ୍ଘାଟନ କରିବା ସହ ପୁରୁଣା ସଚିବାଳୟ ପରିସର ମଧ୍ୟରେ ଥିବା ସମ୍ପ୍ରସାରିତ ଏନସିସି କ୍ୟାଂଟିନ୍ ପରିଦର୍ଶନ କରିଥିଲେ ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *