ଶାନ୍ତି ନିମିତ୍ତ ଅଭିଭାବକତ୍ବ’ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା,୦୩/୦୪/୨୦୨୫(ଓଡ଼ିଶା ସମାଚାର ସସ୍ମିତା ପ୍ରଧାନ )-ରାଉରକେଲା କଲେଜ, ରାଉରକେଲା ଓ ମା’ ଘର ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ‘ଶାନ୍ତି ନିମିତ୍ତ ଅଭିଭାବକତ୍ବ’ ଶୀର୍ଷକ ଆଲୋଚନା ଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମା’ ଘରର ମୁଖ୍ୟ ଋତୁପର୍ଣ୍ଣା ମହାନ୍ତି ମୁଖ୍ୟ ଅତିଥି, ଡାକ୍ତର ସୁସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ ପରିବାର ହେଉଛି ପୃଥିବୀର ସର୍ବୋତ୍ତମ ବିଦ୍ୟାଳୟ। ଭାରତର ସଂସ୍କୃତି ମହାନ। ଯୁଦ୍ଧ ନଥିଲେ ଶାନ୍ତି ଥାଏ। ଶାନ୍ତି ହେଉଛି ସବୁଠାରୁ ଦୁର୍ମୂଲ୍ୟ ତଥା ସବୁଠାରୁ ସହଜ ଲଭ୍ୟ । ଏହା ସହ ସେ ଶିକ୍ଷା ଉପରେ ଗୁରୁତ୍ୱାରୋପ କରି କହିଲେ ଯେ ସମ୍ପ୍ରତି ଶିକ୍ଷାନୀତିରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ବେରୋଜଗାରୀ, ବିସ୍ଥାପନ, ଦାରିଦ୍ର୍ୟ, ଅସୁରକ୍ଷିତ ସମାଜ, ଶୋଷଣ ଆଦି ଶାନ୍ତି ବ୍ୟାହତର କାରଣ। ସନାତନ ସଂସ୍କୃତି ଓ ଆଧୁନିକ ବିଜ୍ଞାନ ପରସ୍ପର ପରିପୂରକ। ଏହା ସହ ଆମ ଯୈାଥ ପରିବାର,ଏହାର ସଂସ୍କାର କିପରି ପାଶ୍ଚାତ୍ୟ ହନୁକରଣରେ ବିପନ୍ନ ସେ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ମାନିତ ଅତିଥି ଡାକ୍ତର ସାହୁ ସନ୍ତାନର ଲାଳନ ପାଳନରେ ପିତାମାତାଙ୍କ ଭୂମିକା, ଗର୍ଭାବସ୍ଥାରୁ ଶିଶୁର ମାନସିକ, ଆଘ୍ରାଣ, ସ୍ବର ଶୁଣିବା ଆଦି ସମ୍ପର୍କରେ ତଥା ଶିଶୁର ଶାରିରୀକ , ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ବିକାଶ ପ୍ରସଙ୍ଗରେ ସେ ତଥ୍ୟ ଭିତ୍ତିକ ପ୍ରୋଜେକ୍ଟର ମାଧ୍ୟମରେ ସରଳ ଭାବରେ ବ୍ୟାଖ୍ୟାନ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଜେନା ସଭାପତିତ୍ବ ଅଭିଭାଷଣରେ ବାପା-ମାଆଙ୍କ ସମାଜ ପ୍ରତି ଦାୟିତ୍ଵବୋଧ ଓ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିବା ସହ ଶାନ୍ତି ବାହାରେ ନୁହେଁ; ନିଜ ଭିତରେ କିପରି ଖୋଜିବା ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ‘ବଞ୍ଚିବାର ବ୍ୟାକରଣ’ କବିତା ପାଠ କରିଥିଲେ। ସଂଯୋଜକ ଶ୍ରୀ ପାଟ୍ଟଶାଣୀ କାର୍ଯ୍ୟକ୍ରମ ଓ ବିଷୟବସ୍ତୁର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାଧ୍ୟାପିକା ବନ୍ଦନା ସୋରେଙ୍ଗ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ମନୋଜ କୁମାର ଦଳାଇ, ରଞ୍ଜିତ ପ୍ରଧାନ, ଭାରତୀ ବରୱା, ଦୀପାଳି ପ୍ରଧାନ, ଅଜିତ ବେକ, ରାଜକୁମାର ସାହୁ, ଜିତେନ୍ଦ୍ର ଡାକୁଆ, ମୌସୁମୀ ଦାସ, ଗୋକୁଳ ଚନ୍ଦ୍ର ପଧାନ, ଅନିଲ କୁମାର ରାମ ପ୍ରମୁଖ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ର-ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *