ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗସ୍ତ

ଯୋଗ୍ୟ ହିତାଧିକାରୀଙ୍କୁ ରେସନକାର୍ଡରେ ସଂଯୋଗ
ଭତା ପ୍ରଦାନ,ଡ୍ରପ ଆଉଟ,ଛତୁଆ ମାନ ଯାଂଚ ପାଇଁ ସ୍ୱତନ୍ତ୍ର ଟିମ
କେନ୍ଦ୍ରାପଡ଼ା, ୦୫/୧୨/୨୦୨୫(ଓଡ଼ିଶା ସମାଚାର)-ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲା ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଜିଲାପାଳ ରଘୁରାମ ଆର. ଆୟାରଙ୍କ ପୌରାହିତରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀ ସାହୁ ଜାତୀୟ ଖାଦ୍ୟ ନିରାପତା ଆଇନ୍ ୨୦୧୩ ଆଧାରରେ ରେସନ କାର୍ଡ ବଂଟନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀ ଯେପରି ତାଲିକାରୁ ବାଦ ନ ପଡନ୍ତି ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ଜିଲା ସାମାଜିକ ସୁରକ୍ଷା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟଭତା ପ୍ରଦାନ ଉପରେ ଖିଲାପ ନ କରିବାକୁ ମଧ୍ୟ ଅଧ୍ୟକ୍ଷ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ଅଙ୍ଗନୱାଡ଼ି କେନ୍ଦ୍ରର ସ୍ଥିତି,ଆଶ୍ରମ ବିଦ୍ୟାଳୟ,ସ୍କୁଲ ଡ୍ରପ ଆଉଟ ଛାତ୍ରଛାତ୍ରୀ, ମଧ୍ୟାହ୍ନ ଭୋଜନ ସଂକ୍ରାନ୍ତରେ ଆଲୋଚନା ସମେତ ଛତୁଆ ପ୍ରସ୍ତୁତକାରୀ କେନ୍ଦ୍ର ଯାଂଚ ନିମନ୍ତେ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନା, ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲା ବେସାମରିକ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *