ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ, ଜଣଙ୍କର ମୃତ୍ୟୁ

୩ ଆହତ ଏସସିବିରେ ଭର୍ତ୍ତି, ହେଲ୍ପ ଲାଇନ୍ ନମ୍ବର ଜାରି
କଟକ,୩୦/୦୩/୨୦୨୫ (ଓଡ଼ିଶା ସମାଚାର)- ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ଟ୍ରେନ୍ ନମ୍ବର ୧୨୫୫୧ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ପୂର୍ବାହ୍ନ ୧୧ଟା ୫୪ ମିନିଟ୍ରେ ଏକ୍ସପ୍ରେସ୍ ର ୧୧ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ନେଇ ପୂର୍ବତନ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଛି ।

୩ ଆହତ ଯାତ୍ରୀ ଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ରେଳ ବିଭାଗ ୩ଟି ଟ୍ରେନ୍ର ଦିଗ ପରିବର୍ତ୍ତନ କରିଛି । ୧୨୮୨୨ ଧଉଳୀ ଏକ୍ସପ୍ରେସ, ୧୨୮୭୫ ନୀଳାଚଳ ଏକ୍ସପ୍ରେସ ଓ ୨୨୬୦୬ ପୁରୁଲିଆ ଏକ୍ସପ୍ରେସର ଗତିପଥ ବଦଳା ଯାଇଛି । କାମାକ୍ଷା ଏକ୍ସପ୍ରେସ୍ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଟ୍ରେନ୍ରେ ଗନ୍ତବ୍ୟ ସ୍ଥଳରୁ ପଠାଯିବା ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଘଟଣା ସ୍ଥଳରେ ଖୋର୍ଦ୍ଧା ରୋଡ୍ ଡିଆର୍ଏମ୍, ଜିଏମ୍ଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ରେଳ ବିଭାଗ ପକ୍ଷରୁ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି । ହେଲପ୍ ଲାଇନ ଡେସ୍କ ନମ୍ବର ୮୧୧୪୩ ୮୨୩୭୧ ଜାରି କରାଯାଇଛି ।
-କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର- ୮୯୯୧୧୨୪୨୩୮
-କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧
-ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା
-ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି
-ଖୋର୍ଦ୍ଧା ରୋଡ୍ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫
-ଭଦ୍ରକ ପାଇଁ ହେଲ୍ପ ଲାଇନ୍ ନଂ- ୯୪୩୭୪୪୩୪୬୯
କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବ । କେତେବେଳେ ଟ୍ରେନ ଚଳାଚଳ ସ୍ୱଭାବିକ ହେବ ତାର ମଧ୍ୟ ସୂଚନା ନାହିଁ । ସେପଟେ ଏନେଇ ଏଗାରଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ଦେଇଛନ୍ତି ସିପିଆରଓ । ଏପର୍ୟ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ହସ୍ତଗତ ହୋଇନାହିଁ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି ।

ସେଠାକୁ ମେଡ଼ିକାଲ ଟିମ ପଠାଇ ଦିଆଯାଇଛି ।ଏହା ସହ ଏନଡିଆରଏଫ ଓ ଫାୟାର ଟିମ୍ ପଠାଇ ଦିଆଯାଇଛି । ଯେଉଁ ଯାତ୍ରୀମାନେ ସେଠାରେ ରହିଛନ୍ତି ସେମାନଙ୍କୁ କିଭଳି ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇହେବ ସେ ବ୍ୟବସ୍ଥା କରାଯାଉଛି ।

ଦୁର୍ଘଟଣା ଘଟିଥିବା ସ୍ଥାନରେ ରିଷ୍ଟୋରେସନ କାମ ଖୁବଶୀଘ୍ର ଆରମ୍ଭ ହେବ ଓ ଅନ୍ୟାନ୍ୟ ଟ୍ରେନ ଚଳାଚଳ ବ୍ୟବସ୍ଥା ଆରମ୍ଭ ପାଇଁ ବ୍ୟବସ୍ଥା କରାଯିବ ବୋଲି ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଅଶୋକ କୁମାର ମିଶ୍ର କହିଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ କେହି ଆହତ ହୋଇନଥିବା ସିପିଆରଓ କହିଛନ୍ତି । ରୋଡ଼ ଟ୍ରାନ୍ସପୋର୍ଟ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥା କରି ଯାତ୍ରୀଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ବ୍ୟବସ୍ଥା ହେଉଛି ।

Leave a Reply

Your email address will not be published. Required fields are marked *