କବିସୂର୍ୟ୍ୟନଗର, ୩୦/୦୩/୨୦୨୫ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲା କବିସୂର୍ୟ୍ୟନଗର ପଥରପାଲିରେ ଜନୈକ ଭାଜପା କର୍ମୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ଅତି ନିକଟରୁ ହୋଇଥିବା ଜଣାପଡ଼ିଛି। କପାଳରେ ଗୋଟିଏ ରାଉଣ୍ଡ ଗୁଳି ବାଜିଥିବା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଲକ୍ଷ୍ମୀ ନାରାୟଣ ପାଇକରାୟ ଓରଫ କୁନା ପାଇକରାୟ। ସେ ଜଣେ ବରିଷ୍ଠ ଭାଜପା କାର୍ୟ୍ୟକର୍ତ୍ତା । ସେ ଗଞ୍ଜାମ ଜିଲା ଦଣ୍ଡନାଚ କମିଟି ସଦସ୍ୟ । କିନ୍ତୁ ଏକାଧିକ ଆପରାଧିକ ମାମଲାରେ ସେ ଜଡ଼ିତ ଥିବା କୁହାଯାଉଛି। ତାଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡିଛି। ତେଣୁ କାହିଁକି , କିଏ ଫୋନେ୍ ରେ ଡ଼ାକି ଗୁଳି କଲେ ତାହା ଜଣାପଡ଼ୁନାହିଁ ।
ଘଟଣାଟି ଘଟିଛି କବିସୂର୍ୟ୍ୟନଗର ଥାନା ପଥରପଲ୍ଲୀ କୁକୁଡ଼ାଫାର୍ମ ନିକଟ କଲଭର୍ଟ ନିକଟରେ। କିଛି ଦୁର୍ବୃତ୍ତ କଲଭର୍ଟ କାମ ଦେଖିବାକୁ ଆସି ଭିଡିଓ ବନାଉଥିଲେ।
ଲକ୍ଷ୍ମୀନାରାୟଣ ବାଇକ୍ ଯୋଗେ ନିଜ ଗାଁ ଆଠଗଡ଼ପାଟଣା ଅଭିମୁଖେ ଫେରିବା ସମୟରେ ଦୁର୍ବୁତ୍ତ ସେଠାରୁ ଫୋନ୍ କରି ତାଙ୍କୁ କାମ ପାଖକୁ ଡାକିଥିଲେ। ଜଣେ କାମ କଥା ପଚାରିବା ବେଳେ ଅନ୍ୟଜଣେ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଗୁଳି ମାଡ଼ରେ ସେ ଘଟଣାସ୍ଥଳରେ ଟଳିପଡ଼ିଥିବା ବେଳେ ତାଙ୍କୁ କବିସୂର୍ୟ୍ୟନଗର ମେଡିକାଲ କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ରହ୍ମପୁର ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ କହିଛି।