ଭୁବନେଶ୍ୱର, ୧୬/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ଶ୍ରୀ ଶତୃଘନ ପୁଜାହାରୀ ଓଡ଼ିଶାର ନବନିଯୁକ୍ତ ମାନ୍ୟବର ରାଜ୍ୟପାଳ ଡା. ହରି ବାବୁ କାମ୍ଭାମପତିଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଜଷ୍ଟିସ ପୂଜାହାରୀ ମାନ୍ୟବର ରାଜ୍ୟପାଳଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହିତ ଓଡିଶା ମାନବାଧିକାର ଆୟୋଗର କାର୍ଯ୍ୟାଧାରା ଏବଂ ତତ୍ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ବିଶେଷକରି ଜନସାଧାରଣଙ୍କ ସୁବିଧା ପାଇଁ ଆୟୋଗ ଏକ ନୂତନ କାର୍ଯ୍ୟକ୍ଷମ ଡାଇନାମିକ ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି, ଯେଉଁଠାରେ ଆୟୋଗ ଦ୍ୱାରା ପଞ୍ଜିକୃତ ସମସ୍ତ ମାମଲାର ବିବରଣୀ, ପ୍ରତ୍ୟେକ ମାମଲାର ସ୍ଥିତି, ଆଦେଶ ଇତ୍ୟାଦି ଯେ କୌଣସି ସମୟରେ, ଯେକୌଣସି ସ୍ଥାନରେ ଯେ କେହି ବି ପାଇପାରିବେ । ଆଗାମୀ ଦିନରେ ଆୟୋଗକୁ ଆହୁରି କ୍ରିୟାଶୀଳ କରାଯିବ ବୋଲି ଜଷ୍ଟିସ ଶ୍ରୀ ପୂଜାହାରୀ ଆଶାବ୍ୟକ୍ତ କରିଛନ୍ତି ।
-0-
ସରୋଜ କୁମାର ଶତପଥୀ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ