ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ – ୨୦୨୫ ଓ ପଲ୍ଲୀଶ୍ରୀମେଳା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର, ୨୯/୦୩/୨୦୨୫ (ଓଡ଼ିଶା ସମାଚାର)-  ଜଗତସିଂହପୁର  ଜିଲ୍ଲା ମହୋତ୍ସବ କଲ୍ଲୋଳ – ୨୦୨୫ ସମ୍ପର୍କୀୟ ଏକ ସାମ୍ବାଦିକ ସମ୍ମିଳନୀ ଆଜି  ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏହି ବୈଠକରେ ଅଧ୍ୟକ୍ଷତା କରି କହିଲେ କଲ୍ଲୋଳ – ୨୦୨୫ ଓ ଓଡ଼ିଶା ଦିବସ କୁ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏପ୍ରିଲ ୧ ତାରିଖରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପଡିଆଠାରେ ଶୁଭ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ମହୋତ୍ସବ କଲ୍ଲୋଳ – ୨୦୨୫ ଏବଂ ପଲ୍ଲୀଶ୍ରୀ ମେଳା ଏପ୍ରିଲ୍ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ୫ ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ୩ ତାରିଖ ଦିନ, ଜିଲ୍ଲା ପ୍ରତିଷ୍ଠା ଦିବସ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହିଦିନ ମାନ୍ୟବର ମନ୍ତ୍ରୀ, ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ୫ ତାରିଖ ଦିନ ମାନନୀୟା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା , ୨ ତାରିଖ ରେ ପଦ୍ମ ଭୂଷଣ ଡଃ ଶ୍ରୀମତୀ ପ୍ରତିଭା ରାୟ ଙ୍କ ସମେତ, ମନ୍ତ୍ରୀ, ସାଂସଦ, ବିଧାୟକ, ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ, ଉପାଧ୍ୟକ୍ଷ , ଆଇ ଓ ସି ଏଲ ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀ ମାନେ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। କଲ୍ଲୋଳ – ୨୦୨୫ ଆରମ୍ଭରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

୧୫୦ଷ୍ଟଲ୍ ବିଶିଷ୍ଟ ପଲ୍ଲିଶ୍ରୀ ମେଳା ରେ ୨୦ଷ୍ଟଲ ର ଫୁଡ କୋର୍ଟ ଆୟୋଜିତ ହେବ। ପଲ୍ଲୀଶ୍ରୀ ମେଳାରେ ସ୍ଥାନୀୟ ଓ ଅନ୍ୟ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଉତ୍ପାଦିତ ଜିନିଷ ବିକ୍ରୟ କରାଯିବ। ପ୍ରତ୍ୟେକ ଦିନ ସଭା ପୂର୍ବରୁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୪ ତାରିଖ ଦିନ ବଲିଉଡ୍ ଗାୟକ ଜାଭେଦ ଅଲ୍ଲୀ ଓ ଟିମ୍ ମୁଖ୍ୟ ଆକର୍ଷଣ ରହିବେ।ଏହା ବ୍ୟତୀତ ଙ୍କ ୫ ଦିନ ବ୍ୟାପି ଓଲିଉଡ ର ପପୁ ପମପମ୍, ପ୍ରଜ୍ଞା ହୋତା, ରୁକ୍ସନା ଏବଂ ବିଭିନ୍ନ ଜିଲ୍ଲାର ଲୋକସଙ୍ଗୀତ, ଲୋକ ନୃତ୍ୟ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ପ୍ରଥମ ଦିନ ଓଡ଼ିଶୀ, ଘଟ ନୃତ୍ୟ ପରିବେଷଣ କରାଯିବ। ଅନ୍ୟ ଦିନ ଗୁଡ଼ିକରେ ଆଦିବାସୀ ଢେମସା, ଲାବନୀ, ଘୁମୁରା , ବାଘ ନୃତ୍ୟ, ପାଇକ ଆଖଡ଼ା, କୁଚିପୁଡ଼ି, ପଞ୍ଜାବୀ ଭାଙ୍ଗଡା, ସାହିଯାତ, ଗୋଟିପୁଅ , ଢାପ ନୃତ୍ୟ, ଆଦି  ପରିବେଷଣ କରାଯିବ। ଏତଦବ୍ୟତୀତ ଜିଲ୍ଲାପାଳ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା, ପାର୍କିଂ ଆଦି ବିଷୟ ରେ ସବିଶେଷ ଆଲୋଚନା କରିଥିଲେ।ଜିଲ୍ଲା ମହୋତ୍ସବ କଲ୍ଲୋଳ ରେ ସମସ୍ତଙ୍କ ର ସହଯୋଗ କାମନା କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ  ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *