ଓଡ଼ିଶା ସରକାରଙ୍କ ଦ୍ୱାରା ‘ଅନଲକିଂ ଦ ପାୱାର ଅଫ ଡାଟା ଏକ୍ସଚେଞ୍ଜ ଫର ସ୍ମାର୍ଟ ଗଭର୍ଣ୍ଣାନ୍ସ’ ଶୀର୍ଷକ ଆଇଡିଆ ଫୋରମ୍ ଆୟୋଜିତ

ଭୁବନେଶ୍ୱର,୨୮/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର (ଡିପିଆଇସି) ଦ୍ୱାରା ଆଜି ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ‘ଅନଲକିଂ ଦ ପାୱାର ଅଫ୍ ଡାଟା ଏକ୍ସଚେଞ୍ଜ ଫର୍ ସ୍ମାର୍ଟ ଗଭର୍ଣ୍ଣାନ୍ସ’ ଉପରେ ଏକ ଆଇଡିଆ ଫୋରମ୍ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମଞ୍ଚରେ ସେଣ୍ଟର ଅଫ୍ ଡାଟା ଫର୍ ପବ୍ଲିକ୍ ଗୁଡ୍ (ସିଡିପିଜି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବାଙ୍ଗାଲୋରର ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ସଚିବ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ନୂତନ ରାଜ୍ୟ ଡାଟା ନୀତି ପ୍ରଣୟନ କରିବା ଦିଗରେ ନିଷ୍ପତ୍ତି ନେଇ ଓଡ଼ିଶା ନିଜ ଡାଟା ଗଭର୍ଣ୍ଣାନ୍ସ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରହିଛି। ଏହି ନୂତନ ନୀତି ଆନ୍ତଃ କାର୍ୟ୍ୟକାରିତା, ଉପଲବ୍ଧତା ଏବଂ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବାରେ ରାଜ୍ୟ ସରକାରକୁ ସାହାଯ୍ୟ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ଏକ ନମନୀୟ ଏବଂ ମାପନୀୟ ଡାଟା ଇକୋସିଷ୍ଟମ ନିର୍ମାଣ ଦିଗରେ କାର୍ୟ୍ୟ କରୁଛି ଯାହା ସରକାରୀ ବିଭାଗ ଏବଂ ନୀତି ନିର୍ମାତାଙ୍କୁ ଦୀର୍ଘକାଳୀନ ସ୍ଥିରତା ଏବଂ ନମନୀୟତା ସୁନିଶ୍ଚିତ କରିବା ସହିତ ଅଧିକ ପ୍ରଭାବଶାଳୀ ଭାବରେ ତଥ୍ୟ ବ୍ୟବହାର କରିବାକୁ ସଶକ୍ତ କରିବ।

ସେଣ୍ଟର ଅଫ୍ ଡାଟା ଫର୍ ପବ୍ଲିକ୍ ଗୁଡ୍ ର ଅଧ୍ୟକ୍ଷ ପ୍ରଫେସର ଇନ୍ଦର ଗୋପାଳ ଓପନ-ସୋର୍ସ ଡାଟା ଏକ୍ସଚେଞ୍ଜ ପ୍ଲାଟଫର୍ମ ମାଧ୍ୟମରେ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବା ପାଇଁ ଏକ ମାପନୀଯ ଏବଂ ନମନୀଯ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ପ୍ରମୁଖ ବୈଜ୍ଞାନିକ ତଥା ପ୍ରୋଗ୍ରାମ ମ୍ୟାନେଜର ସି.ଡି.ପି.ଜି. ଜ୍ୟୋତିର୍ମୟ ଦତ୍ତ ଏବଂ ପ୍ଲାଟଫର୍ମ ଡିପ୍ଲୋୟମେଣ୍ଟ ଆଣ୍ଡ ଆପ୍ଲିକେସନ ମ୍ୟାନେଜର ସି.ଡି.ପି.ଜି. ଅକ୍ଷତ ଶର୍ମା ମଧ୍ୟ ଏହି ଅବସରରେ ଉଦବୋଧନ ଦେଇଥିଲେ। ଆଇ.ଆଇ.ଏସ୍.ସି. ଟିମ୍ ଓପନ-ସୋର୍ସ ଡାଟା ଏକ୍ସଚେଞ୍ଜ ପ୍ଲାଟଫର୍ମର ସାମର୍ଥ୍ୟକୁ ଉପସ୍ଥାପନ କରିଥିଲେ, ଯାହାକୁ ସି. ଡି.ପି.ଜି. ଦ୍ୱାରା ଭାରତ ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ, ତେଲେଙ୍ଗାନା ସରକାର ଏବଂ ସର୍ଭେ ଅଫ୍ ଇଣ୍ଡିଆ ସମେତ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ବିଭିନ୍ନ ଡୋମେନରେ ସଫଳତାର ସହ କାର୍ୟ୍ୟକାରୀ କରାଯାଇଛି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ କହିଛନ୍ତି ଯେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଡିପିଆଇସି ମାଧ୍ୟମରେ ଶାସନରେ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବା ପାଇଁ ଅତ୍ୟାଧୁନିକ ଡାଟା ବିଜ୍ଞାନ ଉପକରଣ ଏବଂ ଉନ୍ନତ ଗବେଷଣା ପଦ୍ଧତିର ଲାଭ ଉଠାଇବା ପାଇଁ ମିଳିତ ପ୍ରଯ଼ାସ କରୁଛି, ଯାହା ଓଡ଼ିଶା ସରକାର ଏବଂ ଚିକାଗୋ ବିଶ୍ୱବିଦ୍ୟ଼ାଳୟ ଟ୍ରଷ୍ଟ ମଧ୍ୟରେ ଏକ ଅନନ୍ୟ ସହଭାଗୀତା। ସ୍ମାର୍ଟ ଗଭର୍ଣ୍ଣାନ୍ସ ପାଇଁ ତଥ୍ୟ ଆଦାନପ୍ରଦାନର ଶକ୍ତିକୁ ଉନ୍ମୁକ୍ତ କରିବାରେ ରାଜ୍ୟକୁ ସାହାଯ୍ୟ କରୁଥିବା ଏହି ଆଇଡିଆ ଫୋରମରେ ଅଂଶଗ୍ରହଣ କରିଥିବାରୁ ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସକୁ ଧନ୍ୟବାଦ ଜଣାଇଛନ୍ତି।

ଡି.ପି.ଆଇ.ସି. ର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଉର୍ମିଳା ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ଏବଂ ଡିପିଆଇସିର ଟିମ୍ ଦ୍ୱାରା ଏହି କାର୍ୟ୍ୟକ୍ରମ ସମନ୍ବିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *