ସାହିତ୍ୟ ମହାକୁମ୍ଭ-୨୦୨୫ ଅନୁଷ୍ଠିତ

ସାହିତ୍ୟ ଭାବଗତ ସମ୍ପର୍କ ଯୋଡେ,ବନ୍ଧୁତାର ହାତ ବଢାଏ- ସୌମ୍ୟରଞ୍ଜନ
ଭୁବନେଶ୍ୱର,୨୩/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାହିତ୍ୟ ସଦାକାଳ ହୃଦୟକୁ ହୃଦୟ ସହ ଯୋଡେ, ସାରସ୍ୱତ ସମ୍ପର୍କର ସେତୁ ତିଆରି କରେ । ସାହିତ୍ୟ କେବଳ ଶବ୍ଦର ସଂଗ୍ରହ ନୁହେଁ, ସାହିତ୍ୟ ହେଉଛି ଏକ ସମୟ, ଏକ ଯୁଗ, ଏବଂ ଏକ ସମାଜର ଚିତ୍ରଣ । ଏହି ଉତ୍ସବ ମାଧ୍ୟମରେ ଆମେ ଲେଖକଙ୍କ ପରିଚୟ, ଆମ ସଂସ୍କୃତିର ଗୌରବ ଏବଂ ଓଡିଆ ଅସ୍ମିତାକୁ ଅନୁଭବ କରିପାରିବା ବୋଲି ସଭାରେ ଅତିଥିମାନେ ମତବ୍ୟକ୍ତ କରଛନ୍ତି ।

ରବିବାର, ପୂର୍ବାହ୍ନରେ ଆମ ସାହିତ୍ୟ ପରିବାର, ବ୍ୟାସନଗର ଏବଂ ପାର୍ବତୀଗୋବିନ୍ଦ ସାହିତ୍ୟ ସଂସଦ, ଭଦ୍ରକ ଆନୁକୂଲ୍ୟରେ ସାହିତ୍ୟର ମହାକୁମ୍ଭ -୨୦୨୫ ଭୁବନେଶ୍ୱରସ୍ଥ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ବ୍ଦେଶକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ସାହିତ୍ୟ ହେଉଛି ଭାଷା ଓ ଭାବର ଖେଳ । ଭାବନା ରାଜ୍ୟର ବିସ୍ତାର ହେଲେ ସାହିତ୍ୟ ହୁଏ ପରିପୃଷ୍ଟ । ଭାଷା ବଂଚାଇବା ପାଇଁ ବହିର ଆବଶ୍ୟକତା ଠାରୁ ପ୍ରଜୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପଟ୍ଟନାୟକ ଯୁବ ସାହିତି୍ୟକ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ଥମ୍ଭକାର ତଥା ସୁସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ତାଙ୍କ ଅଭିଭାଷଣରେ କହିଲେ ଯେ ସାହିତ୍ୟରେ ଯେହେତୁ ଭୁଗୋଳ ନଥାଏ ଏହା ସଚରାଚର ବିଦ୍ୟମାନ । ସାହିତ୍ୟ ଭାବଗତ ସମ୍ପର୍କ ଯୋଡେ । ଲେଖକଟିଏ ଆତ୍ମତୃପ୍ତି ପାଏ । ଭାବଗତ ସମ୍ପର୍କର ମୂଳ ଆଧାର ହେଲା ସାହିତ୍ୟ ଅନୁଷ୍ଠାନ । ଅନୁଷ୍ଠାନମାନଙ୍କୁ ଉତ୍ସାହିତ କରିବା ଲକ୍ଷରେ ସାହିତ୍ୟର ମହାକୁମ୍ଭ ଆୟୋଜନ ପାଇଁ ସେ ଆୟୋଜକଙ୍କୁ ଭୁୟସି ପ୍ରଶଂସା କରିଥିଲେ ।

ଉଦଘାଟକ ଭାବେ ବିଶିଷ୍ଟ କବି ଡ. ପ୍ରସନ୍ନ ପାଟ୍ଟଶାଣୀ ଅଧିବେଶନକୁ ଉଦଘାଟନ କରିବା ସହ ବରେଣ୍ୟ ଅତିଥିମାନେ ୧୦ ଗୋଟି ଯୋଗ୍ୟ ସାହିତ୍ୟ ଅନୁଷ୍ଠାନକୁ ଉତ୍କର୍ଷ ସମ୍ମାନ ପ୍ରଦାନ କରିଥିଲେ । ସଭାପତି ତଥା ରାଜ୍ୟ ସଂଯୋଜକ ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଶଶଧର ପଣ୍ଡା ତାଙ୍କ ବକ୍ତବ୍ୟରେ ସାହିତ୍ୟ ଅନୁଷ୍ଠାନମାନଙ୍କୁ ଉତ୍କର୍ଷ ସମ୍ମାନ ପ୍ରଦାନ କରି ଆମେ ଓଡିଆ ସାହିତ୍ୟ ଜଗତରେ ଏକ ନୁଆ ସାହିତ୍ୟ ବିପ୍ଳବ ଆଣିପାରିବୁ ବୋଲି କହିବା ସହ ଆଗାମୀ ଦିନରେ ଅଧିକରୁ ଅଧିକ ସାହିତ୍ୟ ଅନୁଷ୍ଠାନ ଆମ ସହ ସାମିଲ ହେବେ ବୋଲି ଆଶା ପୋଷଣ କରିଥିଲେ ।

ସମ୍ପାଦକ ସରୋଜ କୁମାର ଶତପଥୀ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିବା ସହିତ ସାହିତ୍ୟର ମହାକୁମ୍ଭ ୨୦୨୫ ଆୟୋଜନର ଆଭିମୁଖ୍ୟ ବିଷୟରେ ସୂଚାଇବା ସହିତ ଏହି ଦୁଇ ଗୋଟି ଅନୁଷ୍ଠାନର ମିଳିତ ପ୍ରୟାସ ଆଗାମୀ ଦିନରେ ଅନ୍ୟ ସାହିତ୍ୟ ଅନୁଷ୍ଠାନ ପାଇଁ ପ୍ରେରଣାର ଉତ୍ସ ହେଇ ରହିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *