ନୂଆଦିଲ୍ଲୀ/ ଭୁବନେଶ୍ୱର,୨୩/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତକୁ ଅଗ୍ରଣୀ କରିବା କ୍ଷେତ୍ରରେ ଓଡିଶାର ଅବଦାନ ଅତୁଳନୀୟ। ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ ସ୍ଥଳୀ, ଜଙ୍ଗଲ ଓ ଖଣିଜ ସମ୍ପଦ ସହ ମାନବ ସମ୍ବଳରେ ଭରପୁର ଓଡିଶା ରାଜ୍ୟ ନିଜ ସଂସ୍କୃତି ଓ ପରମ୍ପରା, ପ୍ରଭୁ ଶ୍ରୀ ଜଗନ୍ନାଥ ଓ କୋଣାର୍କ ନିମନ୍ତେ କେବଳ ଭାରତ ନୁହେଁ ବିଶ୍ୱରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରିପାରିଛି।
ହେଲେ ଉପଯୁକ୍ତ ନେତୃତ୍ୱ ଅଭାବ, ମାଟି ଓ ମାତୃଭାଷା ପ୍ରତି ଅବହେଲା, ସମସ୍ତଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ସଚେତନତା ଅଭାବରୁ ରାଜ୍ୟର ଯଥା ଶକ୍ତି ବିକାଶ ହୋଇପାରିନାହିଁ ଶିକ୍ଷା ସ୍ୱାସ୍ଥ୍ୟର ମାନ ବୃଦ୍ଧି ସହ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ଶିଳ୍ପାୟନର ବୃଦ୍ଧି ଦ୍ୱାରା ରାଜ୍ୟ ଅର୍ଥ ନିତୀର ବିକାଶ ହେବା ସହ ଓଡ଼ିଆ ଲୋକ ନିଜ ରାଜ୍ୟରେ ରୋଜଗାରକ୍ଷମ ହୋଇପାରିବେ ବୋଲି “ଭିଜନ ଓଡିଶା ୨୦୩୬” ଆଲୋଚନାରେ ଯୋଗଦେଇ ବିଶିଷ୍ଟ ସଙ୍ଗଠକ ମାନେ ମାତବ୍ୟକ୍ତ କରିଥିଲେ।
ଦିଲ୍ଲୀରେ ବହୁ ଓଡ଼ିଆ ବସବାସ କରୁଥିବାରୁ ଏଠାରେ ଏକ ଓଡ଼ିଆ ସ୍କୁଲ ପ୍ରତିଷ୍ଠା ସହ ଏକ ସାଂସ୍କୃତିକ ମଣ୍ଡପ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଓଡିଶାର ସ୍ୱାଭିମାନ ଓ ଅସ୍ମିତା ନିମନ୍ତେ କାର୍ଯ୍ୟକରୀ ଆସୁଥିବା ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ନୂଆଦିଲ୍ଲୀ ଗାନ୍ଧୀ ପିସ ଫାଉଣ୍ଡେସନରେ ପ୍ରତିଷ୍ଠାନର ସଭାପତି, ସଙ୍ଗଠକ ତଥା ସମାଜସେବି ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ “ଭିଜନ ଓଡିଶା ୨୦୩୬” ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ସଙ୍ଗଠକ ମାତବ୍ୟକ୍ତ କରିଥିଲେ।
ପୂର୍ବତନ କୁଳପତି ପ୍ରଫେସର ବି. ସି. ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ୱାର୍ଲଡ ଓଡ଼ିଆ ସୋସାଇଟିର ସଭାପତି କିଶୋର ଦ୍ବିବେଦି, ସମାଜସେବିକା ଶ୍ରୀମତୀ ରିତା ପାତ୍ର, ପରିବେଶବିତ୍ତ ଡ଼ ବିନୋଦ ସାବତ, ଦେବେନ୍ଦ୍ର ରାଉତ, ଶିକ୍ଷବିତ ପ୍ରଭାସ ରାଜ ପାଣିଗ୍ରାହୀ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଓଡିଶା ଓ ଓଡ଼ିଆଙ୍କ ବିକାଶ ଉପରେ ମତାବ୍ୟକ୍ତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗଦାଧର ପ୍ରଧାନ, ବିଷ୍ଣୁ ପ୍ରିୟା ମିଶ୍ର, ଅଜୟ ମଲ୍ଲିକ, ବିଭୁ ଭାଇ, ଡ଼. ପ୍ରକାଶ, ଅଶୋକ କୁମାର ଦାଶ, ହର ପ୍ରିୟ ପ୍ରତିହାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କୃଷ୍ଣ ଚନ୍ଦ୍ର ସାବତ, ସଂକର୍ଷଣ ପାଢ଼ୀ, ରଶ୍ମିତା ସାବତ, ରିଙ୍କି ଭରଦ୍ୱାଜ, ତପନ ଜେ ପଣ୍ଡା, ଅର୍ଚ୍ଚନା ପରିଡା, ଆଶିଷ ସାବତ, ଗିରିଧାରି ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ମହାସଚିବ କୈଳାଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
